ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟିନେଲେ ଟଙ୍କା ବ୍ୟାଗ୍‌

ଜମନକିରା,୧୧ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ଖୁଲମଖୁଲା ଭାବେ ଚୋରି, ଡକାୟତି ଚାଲିଥିବା ଦେଖିବାକୁ ମିଳୁଛି। ଲୁଟେରା କେତେବେଳେ କାହାଠାରୁ ଟଙ୍କା ଲୁଟ୍‌ କରି ନେଇଯାଉଛନ୍ତି ତ, କେତେବେଳେ ବସ୍‌ଷ୍ଟାଣ୍ଡରେ ଭୁଜାଲି ଦେଖାଇ ଧମକ ଦେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବିଚ୍‌ ବସଷ୍ଟାଣ୍ଡରେ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ୨ ଜଣ ଯୁବକ ଏକ ବାଇକ୍‌ରେ ଅଚାନକ ଆସି ଗାଡ଼ିକୁ ଦୂରରେ ଛିଡ଼ା କରିଥିଲେ। ପରେ ଛକକୁ ଆସି ବସ୍‌କୁ ଅପେକ୍ଷା କରି ପ୍ରେକ୍ଷାଳୟରେ ବସିଥିବା ୨ ବୃଦ୍ଧ ଦମ୍ପତିଙ୍କଙ୍କ ବ୍ୟାଗ ଟଣାଓଟରା କରିଥିଲେ। ଏହା ଦେଖି ପାଖରେ ଥିବା ଜଣେ ଯୁବକ ଏବଂ ସେଠି ଦୋକାନ କରିଥିବା ୨ ମହିଳା ଏହାର ପ୍ରତିବାଦ କରିବାରୁ ସେ ଦୁଇ ଅଭିଯୁକ୍ତ ଯୁବକ ନିଜ ଥଳିରୁ ଏକ ଭୁଜାଲି ବାହାର କରି ଭୟଭୀତ କରିଥିଲେ। ଏହାର ପ୍ରତିବାଦ କରୁଥିବା ଯୁବକଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ଯୁବକ ଜଣକ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯୁବକକୁ ସେ ଦୁଇ ଅଭଯୁକ୍ତ ଭୁଜାଲି ଦେଖାଇ କିଛି ଟଙ୍କା ଛଡ଼ାଇ ନେଇଥିବା ଜଣାପଡିଛି। ମହିଳା ଦୋକାନୀଙ୍କ କହିବା ଅନୁଯାୟୀ, ସେହି ଭୁଜାଲି ଧରିଥିବା ୨ ଜଣ ଯୁବକ ଅପରାଧୀ ପରି ଦିଶୁଥିବା ବେଳେ ଦୁହେଁ ଟଙ୍କା ଲୁଟି ନେଇ ଜମନକିରା ଆଡ଼କୁ ଯାଇଥିବା କହିଥିଲେ।  ଜମନକିରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ  ଏହା ହେଉଥିବା ଲୋକଙ୍କ ଅଭିଯୋଗ ହେଉଛି। ଏହିଭଳି ଅଞ୍ଚଳରେ ଗୁଣ୍ଡାରାଜ ବଢ଼ିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share