କେନ୍ଦୁଝର,୨୩ା୬(ସ୍ବ.ପ୍ର.): ସଦର ଥାନା ଅଞ୍ଜର (ସାନ ଘାଗରା) ନିକଟରେ ଏନ୍ଏଚ୍ ୪୯ରେ ସଶସ୍ତ୍ର ଲୁଟ୍ ହୋଇଛି। ବୁଧବାର ବିଳମ୍ବିତ ରାତିରେ ସମ୍ବଲପୁରରୁ କେନ୍ଦୁଝର ଦେଇ ଭଦ୍ରକ ଯାଉଥିବା ଧାନ ଅମଳ ମେଶିନ ବୋଝେଇ ମିନି ଟ୍ରକ୍ରୁ ଏହି ଲୁଟ୍ ହୋଇଛି। ଗାଡ଼ିରେ ୩ ଜଣ ଥିଲେ। ନିଦ ଲାଗିବାରୁ ରାସ୍ତାକଡ଼ରେ ଶୋଇଥିଲେ। ଏହି ସମୟରେ ୩ ଦୁର୍ବୃତ୍ତ ଏକ ବାଇକ୍ରେ ଆସି କବାଟ ବାଡ଼େଇ ଉଠାଇଥିଲେ। ନ ଖୋଲିବାରୁ ପଥର ମାଡ଼ କରିଥିଲେ। କବାଟ ଖୋଲିବା ପରେ ସେମାନେ ବନ୍ଧୁକ ଓ ଛୁରି ଲଗାଇ ଧମକ ଚମକ କରି ଟଙ୍କା, ସୁନା, ମୋବାଇଲ ଆଦି ଲୁଟି ନେଇ ପଳାଇଥିଲେ ବୋଲି ଗାଡ଼ିଚାଳକ ଅଭିଯୋଗ କରିଛନ୍ତି। ସେମାନେ ମଧ୍ୟ ଉକ୍ତ ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଚମକ କରିବାରୁ ସେମାନେ ଭୟରେ ପଳାଇ ଯାଇ ଘଟଗାଁ ଥାନା ଢେଙ୍କିକୋଟରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ତେବେ ଏ ନେଇ ସେମାନେ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଥିଲେ। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି। ତେବେ ଦୀର୍ଘଦିନ ପରେ ହାଇଓ୍ବେରେ ଏଭଳି ସଶସ୍ତ୍ର ଲୁଟ୍ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।