ଟ୍ରମ୍ପଙ୍କ ଜୀବନ ବଞ୍ଚାଇଛନ୍ତି ଭଗବାନ ଜଗନ୍ନାଥ: ଜାଣନ୍ତୁ ଏମିତି କାହିଁକି କହିଲେ ଇସ୍କନ ଭକ୍ତ

କୋଲକାତା,୧୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି। କେତେକ ଟ୍ରମ୍ପଙ୍କ ସୁରକ୍ଷା ସହ ଜଡିତ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟମାନେ ଆକ୍ରମଣକାରୀଙ୍କ ବୟସ ବିଷୟରେ କହୁଛନ୍ତି। ଏହି ସମୟରେ ଇସ୍କନ ଦ୍ୱାରା ଏକ ବଡ ଦାବି କରାଯାଇଛି। କୁହାଯାଉଛି ଯେ ପ୍ରଭୁ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ରକ୍ଷା କରିଛନ୍ତି।
ଇସ୍କନ ମନ୍ଦିର କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପଙ୍କ ବଞ୍ଚିବା ପଛରେ ଭଗବାନ ପ୍ରକୃତରେ ଅଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ଟ୍ରମ୍ପ ଉଦ୍ଧାର କରିଛନ୍ତି। ଏଥିପାଇଁ ସେ ୧୯୭୬ର ରଥଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ।
ଇସ୍କନ ମନ୍ଦିର ମୁଖପାତ୍ର କହିଛନ୍ତି, ଠିକ୍‌ ୪୮ ବର୍ଷ ପୂର୍ବେ ଡୋନାଲ୍ଡ ଟ୍ରମ୍ପ ଜଗନ୍ନାଥ ରଥ ଯାତ୍ରା ଉତ୍ସବକୁ ରକ୍ଷା କରିଥିଲେ। ଏବେ ଟ୍ରମ୍ପଙ୍କ ଜୀବନ ତାଙ୍କ ଅନୁଗ୍ରହରେ ରକ୍ଷା ପାଇଛନ୍ତି। ଆଜି ଯେତେବେଳେ ସମଗ୍ର ବିଶ୍ୱ ଜଗନ୍ନାଥ ରଥଯାତ୍ରା ଉତ୍ସବ ପାଳନ କରୁଛି, ସେତେବେଳେ ଟ୍ରମ୍ପଙ୍କୁ ଆକ୍ରମଣ କରାଯାଇଥିଲା। ଜଗନ୍ନାଥ ତାଙ୍କର ଭଲ କାର୍ଯ୍ୟକୁ ପୁରସ୍କୃତ କଲେ ଏବଂ ଟ୍ରମ୍ପଙ୍କ ଜୀବନ ବଞ୍ଚିଗଲା।
ରାଧାରମଣ ଦାସ କହିଛନ୍ତି, ଜୁଲାଇ ୧୯୭୬ରେ ଡୋନାଲ୍ଡ ଟ୍ରମ୍ପ ଇସ୍କନ ଭକ୍ତମାନଙ୍କୁ ରଥଯାତ୍ରା ଆୟୋଜନ କରିବାରେ ସାହାଯ୍ୟ କରିଥିଲେ। ଆଜି ଯେତେବେଳେ ବିଶ୍ୱ ନଅ ଦିନର ଜଗନ୍ନାଥ ରଥଯାତ୍ରା ଉତ୍ସବ ପାଳନ କରୁଛି, ସେତେବେଳେ ତାଙ୍କ ଉପରେ ହୋଇଥିବା ଏହି ଭୟଙ୍କର ଆକ୍ରମଣ ଏବଂ ଏଥିରୁ ସେ ବର୍ତ୍ତିଯିବା ଜଗନ୍ନାଥଙ୍କ ଐଶ୍ୱରୀୟ ଦୟା ପ୍ରତିଫଳିତ କରେ।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରାୟ ୪୮ ବର୍ଷ ପୂର୍ବେ ଯେତେବେଳେ ଅନ୍ତର୍ଜାତୀୟ ସୋସାଇଟି ଫର କୃଷ୍ଣ କନ୍ସିୟସନେସ୍‌(ଇସ୍କନ) ପକ୍ଷରୁ ନ୍ୟୁୟର୍କ ସହରରେ ପ୍ରଥମ ରଥଯାତ୍ରାର ଆୟୋଜନ କରିବାକୁ ଯୋଜନା କରିଥିଲା, ସେତେବେଳେ ଚ୍ୟାଲେଞ୍ଜଗୁଡିକ ବହୁତ ଥିଲା। ସେତେବେଳେ ଟ୍ରମ୍ପ କୃଷ୍ଣ ଭକ୍ତଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଥିଲେ। ଟ୍ରମ୍ପ ଆମକୁ ରଥଯାତ୍ରା ପାଇଁ ଯାଗା ଦେଇଥିଲେ।
ସୂଚନାଯୋଗ୍ୟ, ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଜଣେ ଯୁବକ ଗୁଳି ଚଳାଇଥିଲେ। ଏଥିରେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ତାଙ୍କ କାନରେ ଆଘାତ ଲାଗିଛି।

Share