ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ଶନିବାର ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ୱର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଫଳରେ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି।
ନୀତିକାନ୍ତି ନ ହେବାରୁ ଆଜି କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା। ସର୍କିଟ ହାଉସ୍ରେ ବସିଥିବା ବୈଠକରେ ଖୋର୍ଦ୍ଧା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯୋଗଦେବା ପାଇଁ ଖୁଣ୍ଟିଆ ସେବାୟତ ଆସିଥିଲେ। କିନ୍ତୁ ମଲିଆ ସେବାୟତ ଯୋଗ ନ ଦେବାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଲିଆ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିଷ୍ପତ୍ତି ହୋଇଛି।