Categories: ମେଟ୍ରୋ

ଏ ବର୍ଷ ହେଲାନି ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୨୧ା୩(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ବର୍ଷର ପରମ୍ପରା ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ବି ହୋଇପାରିଲା ନାହିଁ। ୨୦୧୫ରୁ ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ ହେବ ବୋଲି ପ୍ରଶାସନ କହିବା ସହ ଉଦ୍ୟମ ଆରମ୍ଭ କରିଥିଲା। ସର୍କିଟ ହାଉସରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ଅଧିକାରୀ ଏବଂ ସେବାୟତଙ୍କୁ ନେଇ ବୈଠକ ବସିଥିଲା। ହେଲେ ସେବାୟତଙ୍କ ମଧ୍ୟରେ ରହିଥିବା ସେହି ପୁରୁଣା ବିବାଦର ସମାଧାନ ନ ହେବାରୁ ଶେଷରେ ପ୍ରଶାସନର ସବୁ ଚେଷ୍ଟା ବିଫଳ ହୋଇଛି। ଶ୍ରୀଜୀଉଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତି ମଧ୍ୟ ବନ୍ଦ ରହିଥିଲା।

ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ପରେ ପ୍ରଥମ ଶନିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିଦିନ ଶ୍ରୀଜୀଉମାନେ କପିଳେଶ୍ୱରସ୍ଥିତ ଶ୍ରୀକପିଳେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ମାତ୍ର କପିଳେଶ୍ୱର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ ଏହି ଯାତ୍ରାରେ ୬ବର୍ଷ ହେଲା ବିଭ୍ରାଟ ସୃଷ୍ଟି ହୋଇଛି।
ଶନିବାର ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ, ଦର୍ଶନ, ରୋଷହୋମ, ଛାମୁ ପରିଷ୍କାର, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀ ଖଇହଦି ବଲ୍ଲଭ, ସକାଳ ଧୂପ, ଠାକୁରାଣୀ ସକାଳ ଧୂପ ହେଇ ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଭୋଗ ମଣ୍ଡପ ହୋଇଥିଲା। ଭକ୍ତମାନେ ମଧ୍ୟ ଆନନ୍ଦ ବଜାରରେ ଅବଢ଼ା ସେବନ କରିଥିଲେ। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ଦୁର୍ଗା ଅନନ୍ତ ବାସୁଦେବ କପିଳେଶ୍ୱର ମନ୍ଦିର ଯିବା ବନ୍ଦ ହେବାରୁ ତଥା ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ହେବାରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବୀରକିଶୋରୀ ବଲ୍ଲଭଠାରୁ ବଡ଼ ସିଂହାର ନୀତି ପର୍ଯ୍ୟନ୍ତ ବନ୍ଦ ରହିଥିଲା। ବରିଷ୍ଠ ସେବାୟତ କାଶୀନାଥ ପୂଜାପଣ୍ଡା କୁହନ୍ତି, ପ୍ରଶାସନ ସହ ଶ୍ରୀକପିଳେଶ୍ୱର ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା ନ ହୋଇପାରିବାରୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି।

Share