Advertisement

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା ପବନ ବହିବାରେ ଲାଗିଥିବାରୁ ବନାଗ୍ନିକୁ ଆୟତ୍ତ କରାଯାଇପାରୁ ନାହିଁ। ୩ ହଜାରରୁ ଊର୍ଦ୍ଧ୍ୱ ଏକର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଗଲାଣି। ଅନେକ ଲକ୍ଷ ଲୋକ ବାସଚ୍ୟୁତ ହୋଇ ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି। କୋପେରନିକସ୍‌ ସେଣ୍ଟିନେଲ୍‌-୨ ମିଶନ ଜରିଆରେ ସଂଗୃହୀତ ଚିତ୍ର ବନାଗ୍ନି ବିପର୍ଯ୍ୟୟର ଭୟାବହତାକୁ ବୟାନ କରୁଛି।

ସାଣ୍ଟା ମୋନିକା ନିକଟରେ କଳାଧୂଅଁାର ବହଳ ଆସ୍ତରଣ ସମ୍ପୃକ୍ତ ଅଞ୍ଚଳର ଆକାଶକୁ ଆଚ୍ଛାଦିତ କରି ରଖିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି। କେବଳ ପାଲିସାଡେସ୍‌ ନୁହେଁ, ଲସ୍‌ ଏଞ୍ଜେଲ୍ସ କାଉଣ୍ଟିର ହୁର୍ଷ୍ଟ ଏବଂ ଅଲ୍ଟାଡେନା ଜଙ୍ଗଲରେ ମଧ୍ୟ ତାଣ୍ଡବ ରଚିଛି ନିଅଁା। ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫାୟାରଫାଇଟର୍ସଙ୍କ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଦ୍ରୁତ ବେଗରେ ବହୁଥିବା ପବନ ଏବଂ ପାଣିପାଗର ଶୁଷ୍କତା। ଏଥିଯୋଗୁ ଏକ ଅତ୍ୟନ୍ତ ବିପଜ୍ଜନକ ଝଡ଼ ସୃଷ୍ଟି ହୋଇଥିବା କାଲିଫର୍ନିଆ ଗଭର୍ନର ଗାଭିନ୍‌ ନ୍ୟୁସୋମ୍‌ ସୂଚନା ଦେଇଛନ୍ତି। ଏଭଳି ପାଗ କେବଳ ନିଅଁାଲିଭା କାର୍ଯ୍ୟରେ ବାଧା ସୃଷ୍ଟି କରିନାହିଁ, ବରଂ ଜଙ୍ଗଲର ନୂଆ ଅଞ୍ଚଳକୁ ନିଅଁା ବ୍ୟାପିବାରେ ସହାୟକ ହୋଇଛି। ଦୟନୀୟ ସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ବିପନ୍ନ ହେବାରେ ଲାଗିଥିବାରୁ ଜରୁରିକାଳୀନ ସେବାକୁ ତ୍ୱରାନ୍ବିତ କରାଯାଇଛି। ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଅନେକ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ହଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ସମେତ ବହୁ ସେଲିବ୍ରିଟିଙ୍କ ଘରଦ୍ୱାର ଜଳିଯାଇଛି। ଗଭର୍ନର ନ୍ୟୁସୋମ୍‌ କାଲିଫର୍ନିଆରେ ଏମର୍ଜେନ୍ସି ଜାରି କରିଛନ୍ତି। ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଜଙ୍ଗଲ ନିଅଁା ପାଇଁ ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ଜଳାଭାବ ଓ ବାଇଡେନ୍‌ ପ୍ରଶାସନର ଉଦାସୀନତାକୁ ମଧ୍ୟ ଦୋଷ ଦିଆଯାଉଛି। କାରଣ ବନାଗ୍ନି ଏଡ଼ାଇବା ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ସ୍ଥାନୀୟ ପ୍ରଶାସନ ହ୍ରାସ କରି ତାକୁ ଅନ୍ୟ କାର୍ଯ୍ୟରେ ବ୍ୟୟ କରିଥିବା ଅଭିଯୋଗ ହୋଇଛି। ଏଭଳି ସମୟରେ ଗଭର୍ନର ନ୍ୟୁସୋମ୍‌ଙ୍କ ଇସ୍ତଫା ଦାବି ଜୋର୍‌ ଧରିଲାଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel