ବିୟୁଟି କଣ୍ଟେଷ୍ଟରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଇ ଭାଙ୍ଗିଦେଲେ ହାରିଥିବା ମହିଳାଙ୍କ ସ୍ବାମୀ: ଭିଡ଼ିଓ ଭାଇରାଲ…

ବ୍ରାସିଲିଆ,୩୧।୫ : ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଏକ ଉଦାହରଣ ବ୍ରାଜିଲରେ ଦେଖିପାକୁ ମିଳିଛି। ଏକ ବିୟୁଟି କଣ୍ଟେଷ୍ଟରେ, ଯେତେବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କଲେ ସ୍ବାମୀ ଏହାକୁ ସହି ପାରିଲେ ନାହିଁ ଏବଂ ସେ ମଞ୍ଚ ଉପରକୁ ଚଢ଼ି ବିଜେତାଙ୍କ ମୁଣ୍ଡରୁ ମୁକୁଟ କାଢ଼ି ଏହାକୁ ତଳେ ପକାଇ ଭାଙ୍ଗିଦେଇଥିଲେ। ସେଠାରେ ବସିଥିବା ଜଣେ ବ୍ୟକ୍ତି ପୁରା ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି।

ବ୍ରାଜିଲର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ଏଲଜିବିଟିକ୍ୟୁ ବିୟୁଟି କଣ୍ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନାଥାଲି ବେକର୍‌ ଏବଂ ଇମାନୁଏଲି ବେଲିନି ଅନେକ ପର୍ଯ୍ୟାୟ ଦେଇ ଫାଇନାଲରେ ପ୍ରବେଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ, ଇମାନୁଏଲି ବେଲିନିଙ୍କୁ ମିସ ଗେ ମ୍ୟାଟୋ ଗ୍ରୋସୋ ୨୦୨୩ର ମୁକୁଟ ପିନ୍ଧାଯାଇଥିଲା। ଏହାକୁ ନେଇ ବେକରଙ୍କ ସ୍ବାମୀଙ୍କୁ ରାଗିଯାଇଥିଲେ। ସେ କ୍ରୋଧିତ ହୋଇ ସେ ମଞ୍ଚ ଉପରେ ଚଢ଼ି ବେଲିନିଙ୍କ ମୁଣ୍ଡରୁ ଉଜ୍ଜ୍ୱଳ ମୁକୁଟ ଛଡ଼ାଇ ତଳେ ପକାଇ ଦେଇଥିଲେ। ତେବେ ମଧ୍ୟ ସ୍ବାମୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା, ସେ ପୁଣି ମୁକୁଟକୁ ତଳୁ ଉଠାଇ ପୁଣି ଭୂମିରେ ଫିଙ୍ଗିଥିଲେ।

ଏକ ବିଦେଶୀ ଖବରକାଗଜ ଅନୁଯାୟୀ, ସ୍ବାମୀ ଏଭଳି କରିବା ମାତ୍ରେ ସୁରକ୍ଷାକର୍ମୀମାନେ ଆସି ସ୍ବାମୀଙ୍କୁ ସେମାନଙ୍କ ସହିତ ମଞ୍ଚ ପଛପଟକୁ ନେଇ ଯାଇଥିଲେ। ପ୍ରତିଯୋଗିତା ସଂଯୋଜକ ମାଲୋନ ହେନିଶ କହିଛନ୍ତି ଫଳାଫଳକୁ ନେଇ ରନର୍‌ ଅପ ମହିଳାଙ୍କ ସ୍ବାମୀ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ସେ ଏହିସବୁ କଲେ। ଆମେ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛୁ। କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି ପ୍ରତିଯୋଗିତାର ବିଚାରପତିମାନେ ଫଳାଫଳକୁ ଯଥାର୍ଥ ଭାବରେ ଘୋଷଣା କରିଛନ୍ତି।

Share