ସୌନ୍ଦର୍ଯ୍ୟ ହରାଉଛି ଜାଗାମିଶନ ଗୃହ,ପାର୍କ

ଖଣ୍ଡପଡ଼ା,୩୦ା୧୧(ଅଜୟ କୁମାର ମହାରଣା)ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖଣ୍ଡପଡ଼ା ସହରାଞ୍ଚଳ ପାରିପାର୍ଶ୍ୱିକ ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାରେ ଅନେକ କୋଟି ଟଙ୍କା ବ୍ୟୟ କରାଯାଉଛି ା ତେବେ ଅନୁଦାନ ଅର୍ଥରେ ନିର୍ମିତ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ଏନ୍‌ଏସି କତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ନୂତନ ପ୍ରକଳ୍ପଗୁଡିକ ୨ରୁ ୩ବର୍ଷ ମଧ୍ୟରେ ସୌନ୍ଦର୍ଯ୍ୟ ହରାଥିବା ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ୧ନଂ.ୱାର୍ଡର କରଡାବଣି ବସ୍ତିରେ ଏନ୍‌ଏସି କର୍ତ୍ତୃପକ୍ଷ ଜାଗା ମିଶନ ଜରିଆରେ ଏକ ପାର୍କ ଓ ବସ୍ତି ବାସିନ୍ଦାଙ୍କ ସାମୁହିକ କାର୍ଯ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିଥିଲେ ା ଏ ବାବଦରେ ଏନ୍‌ଏସି କର୍ତ୍ତୃପକ୍ଷ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରିଥିଲେ ହେଁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପରିସର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପଡିରହିଛି। ସେହିପରି ପାର୍କ ପରିସରରେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ମାନେ ଆଡ୍ଡା ଜମାଇ ସୌନ୍ଦର୍ଯ୍ୟକରଣ ସାମଗ୍ରୀଗୁଡିକୁ ଭଙ୍ଗାରୁଜା କରୁଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନ ଥିବା ପରି ମନେ ହେଉଛି। ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଉକ୍ତ ସ୍ଥାନ ଅନ୍ଧାର ହୋଇପଡୁଛି। ଏଥିପ୍ରତି ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ କରଡାବଣି ଗ୍ରାମବାସୀ ଦାବି କରିଛନ୍ତି।

Share