ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି ମାଲାମାଲ ହେଉଛନ୍ତି। କିନ୍ତୁ ବିଭିନ୍ନ ସ୍ଥାନରୁ ବେଆଇନ ମାଟି ଉଠାଇ ସେହି ଜମିରେ ଭର୍ତ୍ତି କରି ପ୍ଲଟିଂ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ସରକାର ହରାଉଥିବା ଦେଖିବାକୁ ମିଳିଛି। କାଶୀନଗର ସହରର ଆଖପାଖ ବହୁ ସ୍ଥାନରେ ଏହିପରି ବେଆଇନ ମାଟି ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବ ସାଜିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନ ଥିବା ବେଳେ ଆନ୍ଧ୍ର ବ୍ୟବସାୟୀଙ୍କ ରାଜୁତି ଦିନକୁ ଦିନ ବଢିଚାଲିଛି। ବେଆଇନ ମାଟି ଚାଲାଣକାରୀମାନଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟବସାୟୀମାନେ ଗୋଟିଏ ଗାଡ଼ିର ଫାଇନ ରସିଦରେ ୧୦ଟି ଗାଡ଼ିରେ ମାଟି ଚାଲାଣ କରିଥିବା ଜଣାପଡିଛି। ପୂର୍ବରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମାଟି ଉଠାଇବା ପାଇଁ ରାଜସ୍ବ ଅର୍ଥ ପୈଠ କରି ମାଟି ଉଠାଯାଇଥିଲା କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ବିଗତ କିଛି ଦିନ ହେଲା ବେଆଇନ ମାଟି ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ କାଶୀନଗର ଥାନା ତରଫରୁ ପାଟ୍ରୋଲିଂ ସମୟରେ ବେଆଇନ ଚୋରାଚାଲାଣ ଗାଡ଼ିକୁ ଜବତ କରି ସେଥିପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବି ଚୋରାଚାଲାଣ ବନ୍ଦ ହେଉନଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଫିସର ଓ ଚୋରାଚାଲାଣ କରିଥିବା ବ୍ୟକ୍ତିମାନଙ୍କ ମଧୁଚନ୍ଦ୍ରିକାରେ ବହୁ ମାଟି କାଶୀନଗର ଅଞ୍ଚଳରୁ ଚୋରାଚାଲାଣ କରାଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ରାଜନୈତିକ ଦଳର ମୁଷ୍ଟିମେୟ ନେତା ଓ ଠିକାଦାରମାନେ ଏଥିରେ ସଂପୃକ୍ତ ଥିବା ସହ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଆଇନ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବୋଲି ଆଲୋଚନା ହେଉଛି। ଫଳରେ ଓଡିଶା ସରକାର ବହୁ ରାଜସ୍ବ କ୍ଷତି ସହୁଛନ୍ତି। ଉକ୍ତ ବେଆଇନ ଚୋରାଚାଲାଣ ପ୍ରତି ଜିଲା ପ୍ରଶାସନ ଓ ଖଣି ବିଭାଗ ଦୃଢ ପଦକ୍ଷେପ ନେବା ସହ ଚାଲାଣକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Share