ପାହାଡ଼ରୁ ହେଉଛି ଅବାଧ ମୋରମ ଚାଲାଣ

ଖଣ୍ଡପଡ଼ା,୨ା୯ (ସ୍ବ.ପ୍ର.): ଖଣ୍ଡପଡ଼ା ତହସିଲ ଅଧୀନ ଖଳିସାହି ପଞ୍ଚାୟତର ଇଚ୍ଛାପୁର ଗ୍ରାମ ନିକଟ ପାହାଡ଼ରୁ ଅବାଧରେ ମୋରମ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏଥିପାଇଁ ପାହାଡ଼ ଓ ତତ୍‌ସଂଲଗ୍ନ ସଂରକ୍ଷିତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ମାନେ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅବାଧରେ ମୋରମ ଚାଲାଣ ହେଉଥିବା ବେଳେ ଖଣ୍ଡପଡ଼ା ତହସିଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି।
ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ରୋକିବା ନିମନ୍ତେ ରାଜ୍ୟ ସରକାର କଡାକଡି ଆଇନ ପ୍ରଣୟନ କରିଛନ୍ତି। ହେଲେ ଖଣ୍ଡପଡ଼ା ତହସିଲ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଉକ୍ତ ପାହାଡ଼ରୁ ମୋରମ ଚାଲାଣ ଯୋଗୁ ପାହାଡର ପାଦ ଦେଶରେ ଥିବା ବୃକ୍ଷରାଜି ନଷ୍ଟ ହେବାରେ ଲାଗିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି।

Share