ବାଲିଆ (ୟୁପି),୯।୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଉତ୍ତରପ୍ରଦେଶର ଜଣେ ଶିକ୍ଷକ ଚାନ୍ଦା ଦେବାକୁ ମନା କରିବାରୁ ତାଙ୍କ ଚାକିରି ଯାଇଛି। ଯଶଓ୍ବନ୍ତ ପ୍ରତାପ ସିଂ ବାଲିଆ ଜିଲାର ଜଗଦୀଶପୁରଠାରେ ଥିବା ଆର୍ଏସ୍ଏସ୍ ପରିଚାଳିତ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ। ରାମମନ୍ଦିର ନିର୍ମାଣ ଲାଗି ଚାନ୍ଦା ସଂଗ୍ରହ କରିବାକୁ ତାଙ୍କୁ ଏକ ରସିଦ୍ ବହି ଦିଆଯାଇଥିଲା। ସେ ୮୦,୦୦୦ ଟଙ୍କା ସଂଗ୍ରହ କରି ଜମା ଦେଇଥିଲେ। ଆର୍ଏସ୍ଏସ୍ର ଜିଲା ପ୍ରଚାରକ ସତ୍ୟେନ୍ଦ୍ର ଶିଶୁମନ୍ଦିରକୁ ଆସିଥିବାବେଳେ ହଜାରେ ଟଙ୍କା ଚାନ୍ଦା ଦେବା ପାଇଁ ଯଶଓ୍ବନ୍ତଙ୍କ ଉପରେ ଚାପ ପକାଇଥିଲେ। ସେ ଦେବାକୁ ମନା କରିବାରୁ ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କୁ ଶିଶୁମନ୍ଦିରରୁ ବାହାର କରିଦେଇଥିଲେ। ତାଙ୍କର ୮ ମାସର ବେତନ ସ୍ଥଗିତ ରଖାଯାଇଥିବା ଯଶଓ୍ବନ୍ତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଯଶଓ୍ବନ୍ତ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ସ୍କୁଲ୍ ପ୍ରିନ୍ସିପାଲ କହିଛନ୍ତି।