Categories: ଖେଳ

‘ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ପଦକରୁ ବଞ୍ଚିତ ହେଲି’

ହାଙ୍ଗ୍‌ଝୋ, ୩ା୧୦ ଭାରତର ସ୍ବପ୍ନା ବର୍ମନ ସୋମବାର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚଳିତ ଏସିଆନ ଗେମ୍ସରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ବ୍ରୋଞ୍ଜ ପଦକ ହାସଲରୁ ସେ ବଞ୍ଚିତ ହୋଇଛନ୍ତି। ଜାକର୍ତ୍ତାରେ ଏସିଆନ ଗେମ୍ସର ୨୦୧୮ ସଂସ୍କରଣରେ ଏକ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବପ୍ନା ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟରେ ପରୋକ୍ଷରେ ନିଜ ଦେଶର ନନ୍ଦିନୀ ଆଗାସାରାଙ୍କୁ ଲକ୍ଷ୍ୟକରି କହିଥିଲେ। ସେ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ମହିଳା ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ଥିଲେ। ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦେବା ଆଥ୍‌ଲେଟିକ୍ସର ନିୟମ ବିରୁଦ୍ଧ। ହାଙ୍ଗ୍‌ଝୋଠାରେ ରବିବାର ନନ୍ଦିନୀ ମହିଳା ହେପ୍ଟାଥଲନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ବପ୍ନା ତାଙ୍କ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇ ନ ଥିଲେ। ସେ ଚତୁର୍ଥ ହୋଇଥିଲେ। ନନ୍ଦିନୀ ଜଣେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ସେ ପ୍ରକୃତରେ ବ୍ରୋଞ୍ଜ ପଦକର ହକ୍‌ଦାର।
କିନ୍ତୁ କିଛି ଘଣ୍ଟା ପରେ ସୋସିଆଲ ମିଡିଆରୁ ସେ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି। ନନ୍ଦିନୀ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ମୋଟ ୫୭୧୨ ପଏଣ୍ଟ ଅର୍ଜନ କରିଥିଲେ। ସେ ହେପ୍ଟାଥଲନର ଫାଇନାଲ ଇଭେଣ୍ଟ ୮୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିବା ଦ୍ୱାରା ବର୍ମନଙ୍କୁ ପଛରେ ପଦକ ପକ୍କା କରିଥିଲେ। ୮୦୦ମିଟର ଇଭେଣ୍ଟ ବ୍ୟତୀତ ନନ୍ଦିନୀ ୨୦୦ମିଟର ରେସ୍‌ ମଧ୍ୟ ଜିତିଥିଲେ। ଏଥରୁ ତାଙ୍କୁ ୯୩୬ ପଏଣ୍ଟ ମିଳିଥିଲା। ଚଳିତବର୍ଷ ମାର୍ଚ୍ଚ ୩୧ରେ ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଲାଗୁ କରାଯାଇଥିବା ଏକ ନିୟମାନୁସାରେ ଯେଉଁ ମହିଳା ଆଥ୍‌ଲେଟଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନ ଥିବ ସେ ମହିଳା ବିଶ୍ୱ ର଼୍ୟାଙ୍କିଙ୍ଗ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣରୁ ବଞ୍ଚତ୍ତ ହେବେ। ପାଞ୍ଚ ବର୍ଷ ପୂର୍ବେ ଜାକର୍ତ୍ତା ଗେମ୍ସରେ ଏହି ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିବା ସ୍ବପ୍ନା ୫୭୦୮ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଚାଇନାର ନିନାଲି ଝେଙ୍ଗ୍‌ ମୋଟ ୬୧୪୯ ପଏଣ୍ଟ ସଂଗ୍ରହ କରି ଏଥର ମହିଳା ହେପ୍ଟାଥଲନରେ ସ୍ବର୍ଣ୍ଣ ଜିତିଛନ୍ତି। ଉଜ୍‌ବେକିସ୍ତାନର ଏକାଟରିନା ଭୋରୋନିନା ୬୦୫୬ ପଏଣ୍ଟ ସହ ରୌପ୍ୟ ପାଇଥିଲେ।

Share