୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ

ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ ବାରିକ (୬୬)। ମାନସିକ ବିକୃତ ହୋଇ ନିଖୋଜ ହୋଇଯାଇଥିବା ନିରଞ୍ଜନଙ୍କ ବଡପୁଅ ଅମର ସ୍ମୃତିଶକ୍ତି ଫେରିପାଇ ପହଞ୍ଚିବା ପରେ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି।
ନିରଞ୍ଜନ କୌଳିକ ବୃତ୍ତି ସହ ଚାଷ କରି ପରିବାର ପୋଷଣ କରୁଥିଲେ। ସ୍ତ୍ରୀ ରବିଲତା, ବଡ଼ପୁଅ ଅମର, ସାନପୁଅ ସନାତନ, ୩ ଝିଅଙ୍କୁ ନେଇ ତାଙ୍କର ସୁନାର ସଂସାର ଗଢ଼ିଉଠିଥିଲା। ୩ ଝିଅଙ୍କ ବିବାହ ସରିଯାଇଥିଲା। ଦୁଇପୁଅ ସକ୍ଷମ ହେବାପରେ କୋଲକାତାରେ ପାନ ଦୋକାନ ସହିତ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟ ଭଲ ଚାଲିବାରୁ ଦୁଇପୁଅଙ୍କ ସହିତ ବାପା ଯାଇ ଯୋଗ ଦେଲେ। ସଡ଼କ ସମ୍ପ୍ରସାରଣ ପରେ ତାଙ୍କ ଦୋକାନ ଭାଙ୍ଗିଯିବା ସହିତ ବ୍ୟବସାୟ ବନ୍ଦ ହୋଇଗଲା। ସାନ ପୁଅ ସନାତନ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପରେ ନିରଞ୍ଜନଙ୍କ ସ୍ତ୍ରୀ ରବିଲତାଙ୍କର ଅକସ୍ମାତ ମୃତ୍ୟୁ ହୋଇଗଲା। ବଡ଼ ପୁଅ ଅମର ପାଗଳ ହୋଇ ବୁଲିଲେ ଓ ପରେ କେଉଁଆଡେ ନିଖୋଜ ହୋଇଗଲେ। ଏହାପରେ ଅମରଙ୍କ ସ୍ତ୍ରୀ ଓ ପୁଅ ଘରଛାଡ଼ି ଚାଲିଯାଇଥିଲେ। ନିରଞ୍ଜନ ମଧ୍ୟ ବେଙ୍ଗାଲୁରର ଏକ କମ୍ପାନୀରେ ଶ୍ରମିକ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ଆଖି ଆଗରେ ସୁନା ଘର ଚୁନା ହୋଇଯିବା ପରେ ତାଙ୍କ ମସ୍ତିସ୍କ ମଧ୍ୟ ବିଚଳିତ ହୋଇଥିଲା। ସେଠାରେ କାମ କରୁଥିବା ବେଳେ ମେଶିନରେ ତାଙ୍କ ଡାହାଣ ହାତର ୪ ଆଙ୍ଗୁଠି କଟିଯାଇଥିଲା। ପୁଣି ଗାଁକୁ ସେ ଫେରିଥିଲେ। ତେବେ ସୋମବାର ସକାଳେ ମୁମ୍ବାଇ ପୋଲିସ ଅମରଙ୍କ ସହିତ କୁଟାରୀ ଅଞ୍ଚଳରେ ପହଞ୍ଚତ୍ବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅମରଙ୍କ ସ୍ମୃତିଶକ୍ତି ଫେରିଆସିବା ସହିତ ସେ ଭଲ ଆଚରଣ କରୁଥିବା ଦେଖି ସ୍ଥାନୀୟ ଲୋକେ ଖୁସି ହୋଇଯାଇଥିଲେ। ଏପରିକି ତାଙ୍କ ବାପା ପୁଅକୁ ଦେଖି ଖୁସିରେ କୋହ ସମ୍ଭାଳି ପାରି ନ ଥିଲେ। ନିରଞ୍ଜନ କୁହନ୍ତି, ୧୫ବର୍ଷ ତଳେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ପୁଅ ଭଲରେ ଫେରିଛି, ଯାହା ଘଟିବାର ଥିଲା ଘଟିଯାଇଛି। ନାତି ଓ ବୋହୂଙ୍କୁ ତାଙ୍କ ବାପ ଘରୁ ଫେରାଇ ଆଣିବେ, ଜମିରେ ଚାଷ କାମ କରି ଚଳିବେ ବୋଲି ସେ ଆଶା ବାନ୍ଧିଛନ୍ତି।