ବଣାଇଁ,୧।୨(ପ୍ରଦୀପ ତ୍ରିପାଠୀ)/: ଗିରଫ ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଯାଇଛନ୍ତି। ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୁନ୍ଦରଗଡ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରୋଜେକ୍ଟ ଆଡ୍ମିନିଷ୍ଟ୍ରେଟର୍ (ପିଏ) ବିଶ୍ୱଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବିଶ୍ୱଦର୍ଶୀଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ବଣାଇଁର ୭ଟି ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ବିଶ୍ୱଦର୍ଶୀଙ୍କ ଯାଜପୁର ଟାଉନସ୍ଥିତ ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ ସରକାରୀ କ୍ୱାର୍ଟର, ବଣାଇଁ ଆଇଟିଡିଏ ଅଫିସ, ବାଲେଶ୍ୱରସ୍ଥିତ ସୁକୁମାର ନାୟକ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ.୩୦୨ ଆଦି ରହିଛି। ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟଙ୍କ ପକ୍ଷରୁ ଜାରି ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଯାଞ୍ଚ ହେଉଛି। ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୭ଟି ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୩ ଡିଏସ୍ପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ ସହକାରୀ କର୍ମଚାରୀ ନିୟୋଜିତ ଅଛନ୍ତି। ସା ସୁଦ୍ଧା ଭିଜିଲାନ୍ସ ଟିମ୍ ବିଶ୍ୱଦର୍ଶୀଙ୍କ ବିପୁଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ବିଶ୍ୱଦର୍ଶୀଙ୍କ ଭୁବନେଶ୍ୱର ଶ୍ରୀରାମନଗରସ୍ଥିତ ୩,୫୦୦ ବର୍ଗଫୁଟରେ ଥିବା ଦୁଇ ମହଲା ଆବାସିକ କୋଠା ଓ ଲକ୍ଷ୍ମୀସାଗରସ୍ଥିତ ଭଗବାନ ଟାୱାର ଆପାର୍ଟମେଣ୍ଟର ୩ୟ ମହଲାରେ ଏକ ଫ୍ଲାଟ୍ ନଂ.୩୦୪ ଠାବ ହୋଇଛି। ସେହିପରି ଖାରବେଳନଗର ୟୁନିଟ-୩ସ୍ଥିତ ଇଭୋସ୍ ଗାଲାକ୍ସି ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଥିବା ଫ୍ଲାଟ୍ ନଂ.୪୦୨ (ନିର୍ମାଣାଧୀନ) କିଣିବାକୁ ବିଶ୍ୱଦର୍ଶୀ ଅଗ୍ରୀମ ୮୨ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏଥିସହ ଭୁବନେଶ୍ୱର ଓ ପୁରୀରେ ୯ଟି ବହୂମୂଲ୍ୟ ପ୍ଲଟ୍ ମଧ୍ୟ ଠାବ ହୋଇଛି। ଏହାବ୍ୟତୀତ ବିଶ୍ୱଦର୍ଶୀଙ୍କ ଘର ଯାଞ୍ଚ ବେଳେ ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା ମିଳିଛି। ସେହିପରି ବିଶ୍ୱଦର୍ଶୀ ବ୍ୟାଙ୍କ ଓ ଜୀବନବୀମା ଜମା ୬୧ ଲକ୍ଷ ୪୨ ହଜାର ୬୭୬ ଟଙ୍କା କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ତାଙ୍କ ଘରୁ ପ୍ରାୟ ୧୫୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି। ଏଥିସହ ଗୋଟିଏ ଚାରିଚକିଆ ଯାନ (ଫୋର୍ଡ ଫିଗୋ) ଓ ୪ଟି ଦୁଇ ଚକିଆ ଯାନ ଓ ୨୧.୧୪ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ ହୋଇଛି। ଭିଜିଲାନ୍ସ ଟିମ୍ ବିଶ୍ୱଦର୍ଶୀଙ୍କୁ ତାଙ୍କ ବିପୁଳ ସମ୍ପତ୍ତିର ଉତ୍ସ ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ଏହି ସମ୍ପତ୍ତିର ପରିମାଣ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଭିଜିଲାନ୍ସ ଏସଂକ୍ରାନ୍ତରେ ମାମଲା ରୁଜୁ କରି ବିଶ୍ୱଦର୍ଶୀଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ବଣାଇଁ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ (ପିଏ) ଭାବେ ବିଶ୍ୱଦର୍ଶୀ ୨୦୨୨ ମାର୍ଚ୍ଚରୁ କାମ କରୁଛନ୍ତି।