ମଧ୍ୟବିତ୍ତଙ୍କ ପାଇଁ ଲାଗିଲା ଲଟେରୀ, କର୍ମକ୍ଷେତ୍ରରେ ଇର୍ଣ୍ଟନଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ୨୦୨୪-୨୫ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ରୋଜଗାରକୁ ନେଇ ବଡ଼ ଘୋଷଣା କରିଛନ୍ତି। ରୋଜଗାର ଯୋଗାଉଥିବା ସଂସ୍ଥାମାନଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି ସରକାର କହିଛନ୍ତି। ୧୦ଲକ୍ଷ ଯୁବକଙ୍କୁ EPFO ସୁବିଧା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି। ଏଥିସହ କର୍ମଚାରୀମାନେ ଆର୍ଥିକ ସହାୟତା ପାଇପାରିବେ। କେବଳ ଏତିକି ନୁହେଁ, ଯଦି କୌଣସି କମ୍ପାନୀ ଯୁବକମାନଙ୍କୁ ରୋଜଗାର ଦିଏ, ତେବେ ପ୍ରଥମ ଦରମା ସରକାର ପ୍ରଦାନ କରିବେ। ସରକାରଙ୍କ ଏହି ପଦକ୍ଷେପରେ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ସରକାର କହିଛନ୍ତି, ପ୍ରଥମ ଚାକିରିରେ ୧୫ହଜାର ଟଙ୍କା ସିଧାସଳଖ ଇପିଏଫଓ ଆକାଉଣ୍ଟରେ ଜମା ହେବ। କେବଳ ଏତିକି ନୁହେଁ, ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୩ଟି ପ୍ରୋତ୍ସାହନ ଯୋଜନା ଆରମ୍ଭ କରିବେ। ବଡ କମ୍ପାନୀରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କୋଟି କୋଟି ଯୁବକଙ୍କୁ ଇଣ୍ଟର୍ନସିପ ସୁଯୋଗ ଦିଆଯିବ। ଏହି ଇଣ୍ଟର୍ନସିପ ୧୨ ମାସ ପାଇଁ ହେବ। ଇର୍ଣ୍ଟନଙ୍କୁ ପ୍ରତି ମାସରେ ୫ହଜାର ଟଙ୍କା ପାଇବେ। ଏହା ପରେ ସେହି ଯୁବକମାନେ ଦେଶର ଶ୍ରେଷ୍ଠ ୫୦୦କମ୍ପାନୀରେ ଚାକିରି ସୁଯୋଗ ପାଇବେ।

ନିଯୁକ୍ତି ଏବଂ କୌଶଳ ଯୋଗାଇବା ପାଇଁ ଆସନ୍ତା ୫ ବର୍ଷରେ ଏହା ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ ସରକାର କେବଳ ରୋଜଗାର ଯୋଗାଇବା ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଆସନ୍ତା ୫ ବର୍ଷରେ ସରକାର ୪ କୋଟି ଚାକିରି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ବଜେଟ ୨୦୨୪-୨୫ରେ ନଅଟି ପ୍ରାଥମିକତା ଉପରେ ସୁଯୋଗ ସୃଷ୍ଟି କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ୯ ପ୍ରାଥମିକତା ମଧ୍ୟରେ ଉତ୍ପାଦକତା, ନିଯୁକ୍ତି, ସାମାଜିକ ନ୍ୟାୟ, ସହରୀ ବିକାଶ, ଶକ୍ତି ସୁରକ୍ଷା, ଭିତ୍ତିଭୂମି, ନବସୃଜନ ଏବଂ ସଂସ୍କାର ଅନ୍ତର୍ଭୁକ୍ତ।

Share