ଲଭ୍‌ ୪୨୦

ପ୍ରଯୋଜକ ବିନ୍ନି ପଟ୍ଟନାୟକ ଏବଂ ସଚିକାନ୍ତ ଜେନା କିଛି ମାସ ପୂର୍ବରୁ ଏକାଥରେ ୧୦ଟି ଓଡ଼ିଆ ସିନେମାର ଟାଇଟଲ ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ସେଗୁଡ଼ିକ ମଧ୍ୟରୁ ଏବେ ‘ତୁ ମୋ ନୀଳ ନୟନା’ର ଶୁଟିଂ ଶେଷ ହୋଇଛି। ନିକଟରେ ଏହି ଯୋଡ଼ି ଦ୍ୱାରା ପ୍ରଯୋଜିତ ଆଉ ଏକ ସିନେମା ‘ଲଭ୍‌ ୪୨୦’ର ଶୁଟିଂ ଆରମ୍ଭ ହୋଇଛି। ମୁନ୍‌ ଟିଭି ମୁଭିଜ ବ୍ୟାନରରେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି)। ଫିଲ୍ମର ମୁଖ୍ୟ ଭୂମିକାରେ ଜ୍ୟୋତି ଅଭିନୟ କରୁଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଶୀତଲ। ଚିତ୍ରଟିର ସଂଳାପ ରଚନା ଦାୟିତ୍ୱ ତୁଲାଇଛନ୍ତି ଆଗଧାଡ଼ିର ସଂଳାପକାର ଡ. ରଜନୀ ରଞ୍ଜନ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର। ଏହାର ଶୁଟିଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ହେବ ଏବଂ ଗୀତଗୁଡ଼ିକ ପାଇଁ କଲିକତା ଏବଂ ହାଇଦ୍ରାବାଦ ଲୋକେଶନ ଚୟନ କରାଯାଇଛି। ଜ୍ୟୋତି-ଶୀତଲ ବ୍ୟତୀତ ଉକ୍ତ ସିନେମାରେ ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ନବାଗତା ଏଲିସା, ସୁନୀତା, ହରି, ହାଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି। ଏହାର କ୍ରିଏଟିଭ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ।

Share