ପ୍ରେମ ପ୍ରତାରଣା, ବନ୍ଧା ହେଲେ ଅଭିଯୁକ୍ତ

ବୁଗୁଡ଼ା,୨୨ା୬(କାଳି ଚରଣ ଦାଶ)- ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ଭୋଳ(୩୧)। ଗାଙ୍ଗପୁର ଥାନା ଅଞ୍ଚଳର ଜନୈକ ଯୁବତୀଙ୍କ ଅଭିଯୋଗ କ୍ରମେ ନଂ ୪୩୧/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଚିତ୍ରସେନ ଓ ଯୁବତୀ ଜଣଙ୍କ ସୁରତରେ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ୨୦୨୧ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୁରତର ଆମ୍ବାଜୀ ମନ୍ଦିରରେ ଚିତ୍ରସେନ କୁଆଡେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ପରେ ଉଭୟ ଏକ ଭଡାଘରେ ରହୁଥିଲେ। ତେବେ ଅନ୍ୟ ଏକ ଯୁବତୀଙ୍କ ସହ ଚିତ୍ରସେନର ସମ୍ପର୍କ ଥିବା ନେଇ ନର୍ମଦା ଜାଣି ପାରିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଯୁବତୀଜଣଙ୍କ ବିବାହ କରିବାକୁ ଦାବି କରିବାରୁ ଚିତ୍ରସେନ କୁଆଡେ ଫେରାର ହୋଇଯାଇଥିଲେ। ଏବେ ଚିତ୍ରସେନ ଅନ୍ୟ କାହାକୁ ବାହା ହେବାକୁ ଚେଷ୍ଟା ଚଳାଇଥିବା ସହ ତାଙ୍କୁ ଫୋନରେ ଧମକ ଦେଉଥିବାରୁ ତାଙ୍କ ଜୀବନ ଅସୁରକ୍ଷିତ ବୋଲି ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି। ପୋଲିସ ଚିତ୍ରସେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।