ପ୍ରେମୀଯୁଗଳଙ୍କ ଯୁଦ୍ଧ ତାଲିମ

କ୍ୱିଭ୍‌, ୨୧ା୩: ଯୁଦ୍ଧ ବିଷୟରେ ଇତିହାସରୁ ପଢ଼ିଥିବା ତଥା ନିଜ ଅଜା ଆଈଙ୍କ କାହାଣୀରେ ଶୁଣିଥିବା ୟୁକ୍ରେନ୍‌ର ଯୁବପିଢ଼ି ଆଜି ନିଜେ ଜଣେ ଜଣେ ଯୋଦ୍ଧା ପାଲଟିଛନ୍ତି। ପାର୍ଟନରଙ୍କ ସହ ଜୀବନ ଆରମ୍ଭ କରିବାକୁ ଯାଉଥିବା ପ୍ରେମୀଯୁଗଳ ଏବେ ଯୁଦ୍ଧାସ୍ତ୍ର ଧରି ଦେଶ ରକ୍ଷା ପାଇଁ ରୁଷିଆ ବିରୋଧରେ ଲଢ଼ିବା ନିମନ୍ତେ ତାଲିମ ଦେଉଛନ୍ତି। କଫି ପିଇ ସାଙ୍ଗମାନଙ୍କ ସହ ସମୟ କାଟିବାକୁ ଯାଉଥିବା ସ୍ଥାନରେ ୟୁକ୍ରେନ୍‌ ଯୁବଗୋଷ୍ଠୀ ଅସ୍ତ୍ର ଧରି ଯୁଦ୍ଧ କୌଶଳ ଶିଖୁଛନ୍ତି। ଦକ୍ଷିଣ ୟୁକ୍ରେନ୍‌ର ଓଡେଶା ସହରରେ ଥିବା ଏହି ଟ୍ରେନିଂ ସେଣ୍ଟରରେ ସେମାନେ ଯୁଦ୍ଧାସ୍ତ୍ର ଚଳାଇବା ସହ କ୍ଷତାକ୍ତ ହେଲେ ଶୀଘ୍ର ଉପଶମ ନିମନ୍ତେ ଏମର୍ଜେନ୍ସି ଫାଷ୍ଟଏଡ୍‌ ବା ପ୍ରାଥମିକ ଚିକିତ୍ସା ପଦ୍ଧତି ଶିକ୍ଷା ମଧ୍ୟ ନେଉଛନ୍ତି।
ଗ୍ରୀଷ୍ମ ଋତୁରେ ନିଜ ବିବାହ ଯୋଜନା କରିସାରିଥିବା ପ୍ରେମୀଯୁଗଳ ୨୬ ବର୍ଷୀୟା ଗ୍ରାଫିକ୍‌ ଡିଜାଇନର ଓଲ୍‌ଗା ମୋରୋଜ୍‌ ଏବଂ ତାଙ୍କ ପ୍ରେମିକ ୩୨ ବର୍ଷୀୟ ସେଲ୍‌ସ ମ୍ୟାନେଜର ମାକ୍ସିମ୍‌ ୟାଭ୍‌ତୁଶେଙ୍କୋ ଦିନକୁ ପ୍ରାୟ ୮୦ରୁ ୧୫୦ ଲୋକଙ୍କୁ ଯୁଦ୍ଧ କୌଶଳ ଏବଂ ଫାଷ୍ଟଏଡ୍‌ ଟ୍ରେନିଂ ଦେଉଛନ୍ତି। ଉଭୟେ ୟୁକ୍ରେନ୍‌ କ୍ଷେତ୍ରୀୟ ପ୍ରତିରକ୍ଷା ବାହିନୀରେ ସ୍ବେଚ୍ଛାକୃତ ଭାବେ ଯୋଗ ଦେବା ପରେ ଅନ୍ୟମାନଙ୍କୁ ଅସ୍ତ୍ରଚାଳନା ଶିଖାଉଛନ୍ତି। ସମ୍ପ୍ରତି ସ୍ଥିତିରେ ୟୁକ୍ରେନ୍‌ର ପ୍ରତ୍ୟେକ ବ୍ୟକ୍ତି ଲଢ଼ିବା ଜାଣିବା ଉଚିତ। ଏଥିସହ ଔଷଧ ପ୍ରସ୍ତୁତି, ପରିବାର ଲୋକ ଓ ଅନ୍ୟମାନଙ୍କ ଚିକିତ୍ସା ଶିଖିବା ଜରୁରୀ ବୋଲି ଓଲଗା ମୋରୋଜ କହିଛନ୍ତି। ଏହି କେନ୍ଦ୍ରରେ ନାଗରିକଙ୍କୁ ମୌଳିକ ପ୍ରତିରକ୍ଷା ତାଲିମ୍‌ ଦିଆଯାଉଥିଲେ ହେଁ ଏହା ଦ୍ୱାରା ସେମାନେ ଆଗକୁ ଆସିବାକୁ ଥିବା ସ୍ଥିତି ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଟ୍ରେନିଂ ନେଉଥିବା ଜଣେ ୨୬ ବର୍ଷୀୟ ଇଣ୍ଟରନେଟ୍‌ ମାର୍କେଟିଂ ମ୍ୟାନେଜର ମୁରାଗର୍‌ ଶାରିପୋଭ୍‌ କହିଛନ୍ତି, ଆମକୁ ଯୁଦ୍ଧର ଭୟାବହତାକୁ ବୁଝିବାକୁ ପଡ଼ିବ। ଚାରିଆଡ଼େ ଆମ ଦେଶର ଲୋକଙ୍କ ଜୀବନ ଯାଉଛି। ତେଣୁ ନିଜ ପରିବାର, ସମ୍ପର୍କୀୟ , ସାଙ୍ଗସାଥିଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

Share