ପୁରୀ ଅଫିସ,୧୪।୨: ଦରିଆ ସେପାରିର ପ୍ରେମ। ଏହି ପ୍ରେମ ଭିତରେ ମାଇଲ ମାଇଲର ଦୂରତା। ଭାଷା, ଚାଲିଚଳଣି ଓ ପରମ୍ପରା ଦୃଷ୍ଟିକୋଣରୁ ଉଭୟ ଏକଦମ୍ ଭିନ୍ନ। ତଥାପି ମିଶିଛି ମନ। ଦୁହେଁ ପରସ୍ପରର ହୃଦୟର ଭାଷାକୁ ବୁଝିପାରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣେ ଫ୍ରାନ୍ସର ଝିଅ ତ ଆଉ ଜଣେ ଓଡ଼ିଆ ପୁଅ। ଏମାନେ ହେଲେ ପୁରୀରେ ରହୁଥିବା ଇସାବେଲ୍ ଏବଂ ଅଶୋକ। ଦୀର୍ଘ ୨୦ବର୍ଷ ତଳେ ରାଜଧାନୀ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ୍ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ଓଡ଼ିଆ ପୁଅ ଅଶୋକ ଜଣେ ଅନାଥ। ନିଜ ଠିକଣା ତାଙ୍କର ମନେନାହିଁ। ଦିଲ୍ଲୀର ଏକ ହୋଟେଲରେ କର୍ମଚାରୀ ଥିବା ବେଳେ ଫ୍ରାନ୍ସର ଇସାବେଲଙ୍କୁ ଭେଟିଥିଲେ। ଇସାବେଲ୍ ସେ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ସେତେବେଳେ ଅଶୋକ ତାଙ୍କୁ ଜାଣି ନ ଥିଲେ ମଧ୍ୟ ତାଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ିଥିଲେ। ଇସାବେଲଙ୍କୁ ସୁସ୍ଥ କରିବାକୁ ଅଶୋକ ଦିନ ରାତି ଏକାକାର କରିଦେଇଥିଲେ। ଅଶୋକଙ୍କର ଏହି ମାନବ ପ୍ରେମ ଓ ନିଃସ୍ବାର୍ଥପର ସେବାକୁ ଦେଖି ତାଙ୍କୁ ଭଲ ପାଇବସିଥିଲେ ଇସାବେଲ। ପରେ ଦୁହେଁ ଜୀବନ ସାଥୀ ହୋଇଥିଲେ। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଫ୍ରାନ୍ସର ନାଗରିକତ୍ୱ ଛାଡ଼ିବାକୁ ପଡ଼ିଛି। ଅଶୋକଙ୍କୁ ବିବାହ କରିବା ପରେ ଇସାବେଲ ଖାଣ୍ଟି ଓଡ଼ିଆଣୀ ପାଲଟିଯାଇଛନ୍ତି। ଓଡ଼ିଆ ଘରର ପରମ୍ପରା, ଶଙ୍ଖା, ସିନ୍ଦୂର, ପାଉଁଜି ଓ ଝୁଣ୍ଟିଆକୁ ମଧ୍ୟ ଆଦରି ନେଇଛନ୍ତି। ଓଡ଼ିଆ ବୋହୂଙ୍କ ଭଳି ସେ ଠାକୁର ପୂଜା କରନ୍ତି। ଜଗନ୍ନାଥପ୍ରେମରେ ପଡ଼ିଥିବା ଏହି ଦମ୍ପତି ପୁରୀ କାଶୀହରିପୁର ପଞ୍ଚାୟତର କାଶୀହରିପୁର ଗ୍ରାମରେ ଘର କରି ରହୁଛନ୍ତି। ଉଭୟ ପଶୁପ୍ରେମୀ। ଏହି ଦମ୍ପତି ନିଃସନ୍ତାନ ହୋଇଥିବାରୁ ଗରିବ ନିରାଶ୍ରୟ ଲୋକ ଓ ପଶୁପକ୍ଷୀଙ୍କୁ ସ୍ନେହ ଦିଅନ୍ତି। ପ୍ରତିଦିନ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ଅନେକ ଗରିବ ଲୋକଙ୍କ ଭୋଜନର ବ୍ୟବସ୍ଥା ମଧ୍ୟ କରନ୍ତି। ଅଶୋକ କହିଛନ୍ତି, ଆମେ ଦୁହେଁ ଭିନ୍ନ ଦେଶର ବାସିନ୍ଦା ଥିଲୁ। ମାତ୍ର ଅନ୍ତରଙ୍ଗତା ଓ ପ୍ରେମ ଆମକୁ ଏକାଠି କରିଛି। ଉଭୟ ସମାଜ ସେବାରେ ଜୀବନ ବିତାଇଦେବାକୁ ଚାହୁଁଛୁ। ସେହିଭଳି ଇସାବେଲ୍ କହିଛନ୍ତି, ପ୍ରଥମେ ବଡ଼ ସହରରୁ ଆସି ପୁରୀରେ ଖାପ ଖୁଆଇବା ସହଜ ହେଲାନାହିଁ। ମାତ୍ର ଏଠାକାର ପରିବେଶ ଓ ଲୋକେ ଅତ୍ୟନ୍ତ ଭଲ। ତେଣୁ ଏଇଠି ରହିଯିବାକୁ ଚାହିଁଲି। ସେହିପରି କାଶୀହରିପୁରର ବାସିନ୍ଦା ମମତା ସ୍ବାଇଁ କହିଛନ୍ତି, ଉଭୟଙ୍କ ପ୍ରେମ ଖୁବ୍ ଗଭୀର। ଇସାବେଲ ବିଦେଶିନୀ ହୋଇଥାଇପାରନ୍ତି ମାତ୍ର ଆମ ସହ ତାଳ ଦେଇ ସେ ଖାଣ୍ଟି ଓଡ଼ିଆଣୀ ପାଲଟିଗଲେଣି।