Categories: ଜାତୀୟ

ଜେଲରୁ ପ୍ରେମ: ବିବାହ ପାଇଁ ଉଭୟଙ୍କୁ ପାରୋଲ

କୋଲକାତା,୧୬।୭: ଜେଲର ଚାରିକାନ୍ଥରୁ ପ୍ରେମ। ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲା ଜେଲରୁ ଅବଦୁଲ ହାସିମ ଏବଂ ଶାହନାରା ଖାତୁନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅବଦୁଲ ଆସାମର ଏବଂ ଶାହନାରାଙ୍କ ଘର ପଶ୍ଚିମ ବଙ୍ଗରେ। ଦୁଇଜଣଯାକ ଦୁଇଟି ହତ୍ୟାକାଣ୍ଡରେ ଦୋଷୀ ପ୍ରମାଣିତ ହୋଇଛନ୍ତି। କୋର୍ଟ ଅବଦୁଲଙ୍କୁ ୮ ବର୍ଷର କାରାଦଣ୍ଡ ଶୁଣାଇଥିବାବେଳେ ଶାହନାରାଙ୍କୁ ୬ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଅବଦୁଲ ଓ ଶାହନାରା ଏବେ ବର୍ଦ୍ଧମାନ ଜିଲା କେନ୍ଦ୍ରୀୟ ସୁଧାର ସଂସ୍ଥାନରେ ସଜା କାଟୁଛନ୍ତି। ସେଠାରେ ରହିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଗଢ଼ି ଉଠିଥିଲା। ସମୟ ବିତିବା ସହ ସେମାନଙ୍କ ବନ୍ଧୁତା ପ୍ରେମର ରୂପ ନେଇଥିଲା। ସେମାନଙ୍କୁ ଭେଟିବାକୁ ଆସୁଥିବା ପରିବାର ଲୋକେ ମଧ୍ୟ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଅବଗତ ହେଲେ। ଅବଦୁଲ ଶାହନାରାଙ୍କ ସହ ସଂସାର କରିବାକୁ ଚାହୁଁଥିବାରୁ ପ୍ରେମ ସମ୍ପର୍କକୁ ଏକ ନୂଆ ପରିଚୟ ଦେବା ଲାଗି ବିବାହ ନିଷ୍ପତ୍ତି ନେଲେ। ଏ ନେଇ ଉଭୟେ ନିଜ ପରିବାରର ମତ ମଧ୍ୟ ଲୋଡ଼ିଲେ। ଜେଲରେ ବିବାହ କାର୍ଯ୍ୟ ଏକ ପ୍ରକାର ଅସମ୍ଭବ ହୋଇଥିବାବେଳେ ଏ ନେଇ ଅବଦୁଲ ଓ ଶାହନାରାଙ୍କୁ କୋର୍ଟରେ ପାରୋଲ ପାଇଁ ଆବେଦନ କରିବାକୁ ପଡ଼ିଥିଲା। ବାହାଘର ପାଇଁ କୋର୍ଟ ଦୟା ଦେଖାଇ ୫ ଦିନିଆ ପାରୋଲ ମଞ୍ଜୁର କଲେ। ବର୍ଦ୍ଧମାନର କୁସୁମଗ୍ରାମସ୍ଥିତ ମୋଣ୍ଟେଶ୍ୱର ବ୍ଲକ୍‌ରେ ଦୁହେଁ ମୁସଲିମ୍‌ ଲ’ ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପାରୋଲ ଅବଧି ଶେଷ ହେବା ପରେ ଦୁହେଁ ପୁଣିଥରେ ବର୍ଦ୍ଧମାନସ୍ଥିତ କେନ୍ଦ୍ରୀୟ ସୁଧାର ସଂସ୍ଥାନକୁ ଫେରିଛନ୍ତି। ପ୍ରତ୍ୟେକ ଦମ୍ପତି ଯେଉଁଭଳି ଭାବେ ସଂସାର ଗଢ଼ୁଛନ୍ତି, ଦଣ୍ଡାଦେଶ ଶେଷ ହେଲେ ଜେଲରୁ ବାହାରି ଅବଦୁଲଙ୍କ ସହିତ ସେମିତି ଜୀବନ କାଟିବେ ବୋଲି ଶାହନାରା ପ୍ରତିକ୍ରିୟା ରଖିଛନ୍ତି।

Share