ଜୁସ୍‌ ଦୋକାନରୁ ପ୍ରେମ, ପରେ ଲିଭଇନ୍‌-ବିବାହ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ପାଠକ ଶାହଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ। ସେମାନଙ୍କର ପ୍ରେମ ସମ୍ପର୍କ ଜୁସ ଦୋକାନରୁ ଆରମ୍ଭ ହୋଇଥିଲା। ମୁମ୍ବାଇରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ନସିରୁଦ୍ଦିନଙ୍କ ସହିତ ରତ୍ନାଙ୍କର ସ୍ଥାନୀୟ ଏକ ଆଖୁରସ ଦୋକାନରେ ପରିଚୟ ହୋଇଥିଲା। ଦୁହେଁ ପରସ୍ପରକୁ ଆଖୁରସ ଦୋକାନରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ପରିଚୟରୁ ଆରମ୍ଭ ହୋଇଥିଲା ପ୍ରେମ। ଦୀର୍ଘଦିନ ଲିଭଇନ୍‌ରେ ରହିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବଡ଼ ପରଦା ସହିତ ଛୋଟ ପରଦାରେ ମଧ୍ୟ ରତ୍ନା ବେଶ୍‌ ଖ୍ୟାତି ହାସଲ କରିପାରିଛନ୍ତି। ନ୍ୟାଶନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାର ଶିକ୍ଷା ସମାସ୍ତପରେ ସେ ୧୯୮୩ରେ ମଣ୍ଡି ଫିଲ୍ମରେ ଅଭିନୟ କରିଥିଲେ। ଏହାପରେ ଏକ ଇଂଲିଶ୍‌ ଫିଲ୍ମ ହିଟ୍‌ ଆଣ୍ଡ୍‌ ଡଷ୍ଟରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା। ଏହାପରେ ୧୯୮୭ରେ ମିର୍ଚ ମସାଲା, ପହେଲି, ଆଲାଦିନ୍‌, ଗୋଲାମାଲ୍‌-୩, କପୁର ଆଣ୍ଡ୍‌ ସନ୍ସ, ନିଲ୍‌ ବାଟେ ସନ୍ନାଟା, ଲିପଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା, ଥାପଡ଼ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଜୀବନ ତାଙ୍କୁ ବହୁ ଉପାଦେୟ ଜ୍ଞାନ ଶିକ୍ଷା ଦେଇଥିବା ରତ୍ନା କହିଥାନ୍ତି।

Share