ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍ ହୋଇ ଆସିଲା ଚିଡ଼ିଆଖାନା। ମାସ ମାସ ଧରି ଗୋଡ଼ରେ ପଡ଼ିଲା ବେଡ଼ି। ରଖାଗଲା କ୍ରଲ୍ (ସ୍ବତନ୍ତ୍ର କାଠଶାଳା)ରେ। ଜଙ୍ଗଲରୁ ଜୁ’, କ୍ରଲ୍ରୁ ଏନ୍କ୍ଲୋଜରର ଘେରାବନ୍ଦୀ ଜୀବନ ଭିତରେ ନରହନ୍ତା ଦନ୍ତା ‘ରାକେଶ’ ଏବେ ବୁଝିବା ଆରମ୍ଭ କରିଛି ମଣିଷର ଭାଷା। ବନ କର୍ମଚାରୀ ଏବଂ ମାହୁନ୍ତଙ୍କ ସ୍ନେହ ଆଦରରେ ବଦଳିଯାଇଛି ସେ। ଆ’ କହିଲେ ପାଖକୁ ଧାଇଁଆସୁଛି। ହାତରୁ ଛଡ଼ାଇ ନେଇ ଫଳମୂଳ ଖାଉଛି। ପ୍ରେମର ଭାଷା କିପରି ବନ୍ୟପ୍ରାଣୀର ହିଂସ୍ରପ୍ରବୃତ୍ତି ବଦଳାଇଦିଏ ଏବଂ ମଣିଷ ସହ ଏକତ୍ର ସହାବସ୍ଥାନ ଫଳରେ ହାତୀ ଭଳି ବିଶାଳକାୟ ପ୍ରାଣୀ ବି ବୋଲ ମାନିଯାଏ, ତାହାର ପୁନରାବୃତ୍ତି ହୋଇଛି। ଆଉ ଏଭଳି ପରିବର୍ତ୍ତନର ମୂକସାକ୍ଷୀ ପାଲଟିଛି କପିଳାସ ବନ୍ୟପ୍ରାଣୀ ଉଦ୍ୟାନ।
ଢେଙ୍କାନାଳ ଜିଲାର ପରଜଙ୍ଗ ଏବଂ ଅନୁଗୋଳ ଜିଲାର ତାଳଚେର ସୀମାନ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ଆତଙ୍କ ସୃଷ୍ଟି କରିଥିଲା ଏହି ଦନ୍ତାହାତୀ। ଜନବସତିରେ ପଶି ବିଭିନ୍ନ ସମୟରେ ନେଇଥିଲା ୧୨ ଜଣଙ୍କ ଜୀବନ। ହାତୀର ଆକ୍ରମଣାତ୍ମକ ରୂପ ପାଇଁ ଦୁଇ ଜିଲାରେ ଅସନ୍ତୋଷ ତୀବ୍ର ହେବା ପରେ ୨୦୨୦ ଜାନୁୟାରୀ ୨୨ରେ ଟ୍ରାଙ୍କୁଲାଇଜ୍ କରି ଏକ ସ୍ବତନ୍ତ୍ର ଟ୍ରକ୍ରେ ଏହାକୁ ଅଣାଯାଇଥିଲା କପିଳାସ ଚିଡ଼ିଆଖାନା। ଜୁ’ର ରେସ୍କ୍ୟୁ ସେଣ୍ଟରରେ ଚାରି ଗୋଡ଼ରେ ଲୁହା ଶିକୁଳିରେ ବାନ୍ଧି ରଖାଯାଇଥିଲା। ତେବେ ସ୍ବାଧୀନଚେତା ବଣୁଆ ହାତୀ ଛିଣ୍ଡାଇଦେଇଥିଲା ଚେନ୍। ପ୍ରାଣୀ ଉଦ୍ୟାନରେ ଥିବା ଅନ୍ୟ ଜୀବଜନ୍ତୁ ଏବଂ କର୍ମଚାରୀଙ୍କ ଜୀବନ ପ୍ରତି ଆଶଙ୍କା ଥିବାରୁ ଏହାକୁ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରରେ ଏକ ସ୍ବତନ୍ତ୍ର କ୍ରଲ୍ରେ ରଖାଯାଇଥିଲା। ତଥାପି ଏହାର ଉଗ୍ର ସ୍ବଭାବରେ ପରିବର୍ତ୍ତନ ହୋଇ ନ ଥିଲା। ତେଣୁ ଚିଡ଼ିଆଖାନା ପରିସରରେ ୧୦ ଏକର ଜମିରେ ପରିବ୍ୟାକ୍ତ ଏନ୍କ୍ଲୋଜରରେ ଛାଡ଼ିବାକୁ ଚିନ୍ତା କରିଥିଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ। ଉକ୍ତ ମନୁଷ୍ୟକୃତ ଜଙ୍ଗଲିଆ ପରିବେଶରେ ‘ରାକେଶ’ ମୁକ୍ତ ଭାବେ ବିଚରଣ କରୁଛି। ସେଠାରେ ଲଗାଯାଇଥିବା ଗଛରୁ ଡାଳପତ୍ର ଖାଉଛି। ଯେପରି ବାହାର ହାତୀ ପଶି ନ ପାରିବେ ଏବଂ ‘ରାକେଶ’ ଏନ୍କ୍ଲୋଜର ବାହାରକୁ ଆସି ନ ପାରିବ ସେଥିଲାଗି ଟ୍ରେଞ୍ଚ୍ ଖୋଳାଯାଇଛି। ସିସିଟିଭି କ୍ୟାମେରା ଲଗାଯିବା ସହ ସୋଲାର ଫ୍ୟାନ୍ସି ବ୍ୟବସ୍ଥା କରାଯାଇଥିଲା। ତେବେ ସୋଲାର ଫ୍ୟାନ୍ସିକୁ ସେ ଭାଙ୍ଗିଦେଇଛି। ଏହା ଭିତରେ ଖୋଳାଯାଇଥିବା ଜଳାଶୟରେ ଜଳକ୍ରୀଡ଼ା କରୁଛି। ବନ କର୍ମଚାରୀ କିମ୍ବା ପର୍ଯ୍ୟଟକ ଡାକିଲେ ପାଖକୁ ଦୌଡ଼ି ଆସୁଛି ‘ରାକେଶ’। ଶୁଣ୍ଢ ଲମ୍ବାଇ ଖାଇବାକୁ ମାଗୁଛି। ଯିବାକୁ କହିଲେ ବୋଲ ମାନି ପଳାଉଛି। ହାତୀର ଏଭଳି ପରିବର୍ତ୍ତିତ ବ୍ୟବହାର ଶୁଭସଙ୍କେତ ବୋଲି କୁହାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଗତ ୨ବର୍ଷ ମଧ୍ୟରେ ‘ରାକେଶ’ ବ୍ୟବହାରରେ ବହୁ ପରିବର୍ତ୍ତନ ଆସିଛି। ହାତୀ ଶାନ୍ତ ପଡ଼ିଯାଇଛି। ଏହାର ଗତିବିଧି ଅନୁଧ୍ୟାନ କରାଯିବା ପରେ ଭବିଷ୍ୟତରେ ରେସକ୍ୟୁ ସେଣ୍ଟର ପରିସରକୁ ଆଣି ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ରହିଛି। ବିଭିନ୍ନ ସମୟରେ ରେସ୍କ୍ୟୁ ସେଣ୍ଟରକୁ ଅଣାଯାଉଥିବା ହାତୀ ଛୁଆଙ୍କୁ ପ୍ରଶିକ୍ଷଣ ଦେବାରେ ଏହା ସହାୟକ ହୋଇପାରିବ ବୋଲି ଡିଏଫ୍ଓ କହିଛନ୍ତି।
ରତନ ନାୟାର