ପ୍ରେମ ଏବେ, ନା ବାବା ନା…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ବୁଧବାର ୩୪ ବର୍ଷ ପୂରଣ ହୋଇଛି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଶକ୍ତି କପୁର ଏବଂ ମାଉସୀ ପଦ୍ମିନୀ କୋହ୍ଳାପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ବଲିଉଡ୍‌ରେ ଅଭିନୟ କରିବା ପାଇଁ ପିଲାଟି ଦିନରୁ ତାଙ୍କର ଇଛାଥିଲା। ୨୦୧୦ରେ ତିନ୍‌ ପାତିରେ ସେ ଏକ ଶର୍ଟ ରୋଲ୍‌ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୧ରେ ଲଭ୍‌ ଦ ଏଣ୍ଡ୍‌ରେ ସେ ଲିଡ୍‌ ରୋଲରେ ଅଭିନୟ କରିଥିଲେ। ୨୦୧୩ରେ ତାଙ୍କ ଅଭିନୀତ ଆଶିକ-୨ ବକ୍ସ ଅଫିସ୍‌ରେ ବେଶ ସଫଳ ରହିଥିଲା। ଏହାପରେ ୨୦୧୪ରେ ହାଇଦର, ଏକ୍‌ ଭିଲେନ୍‌, ୨୦୧୫ରେ ଏବିସିଡି, ୨୦୧୬ରେ ବାଗି, ୨୦୧୭ରେ ହାଫ୍‌ ଗର୍ଲଫ୍ରେଣ୍ଡ, ୨୦୧୮ରେ ହରର୍‌ ଫିଲ୍ମ ସ୍ତ୍ରୀ, ୨୦୧୯ରେ ସାହୋ ଏବଂ ଛିଛୋରେ, ୨୦୨୦ରେ ଷ୍ଟ୍ରିଟ ଡ୍ୟାନ୍ସର ଏବଂ ବାଗି-୩ରେ ଉଲ୍ଲେଖନୀୟ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ବଲିଉଡ୍‌ର ଲଭର ବୟ ଆଦିତ୍ୟ ରାୟ କପୁର ଏବଂ ଫରହାନ ଅଖତରଙ୍କ ସହିତ ତାଙ୍କର ରୋମାନ୍ସ ନେଇ ନାନା ଚର୍ଚ୍ଚା ହେଉଥିଲେ ମଧ୍ୟ ଶ୍ରଦ୍ଧା ଏନେଇ ମିଡ଼ିଆରେ ମୁହଁ ଖୋଲି ନାହାନ୍ତି। ସେହିପରି ରୋହନ ଶ୍ରେଷ୍ଠଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଗୁଜବ ଉଠିଛି। ପ୍ରଥମେ କ୍ୟାରିୟର ଏହାପରେ ପ୍ରେମ ବୋଲି ଏକ ସାକ୍ଷାତ୍‌କାରରେ ଶ୍ରଦ୍ଧା କହିଥିଲେ। ଏବେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ସୁଦୃଢ଼ କରୁଛନ୍ତି। ରୋମାନ୍ସ ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି କହି ଶ୍ରଦ୍ଧା ମିଡ଼ିଆର ମୁହଁ ବନ୍ଦ କରିବାରେ ବେଶ୍‌ ମାହିର୍‌।

Share