କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ। କେଉଁଠି ଶାହାଜାହାନ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଦେଖାଯାଏ। କୋଲକାତାରେ ତାପସ ଶାଣ୍ଡିଲ୍ୟ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କରୋନା ମହାମାରୀର ଦ୍ୱିତୀୟ ଲହରରେ ସ୍ତ୍ରୀଙ୍କୁ ହରାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ମୃତ୍ୟୁ ସମୟରେ ସ୍ତ୍ରୀଙ୍କ ମୁହଁ ସେ ଦେଖିପାରି ନ ଥିଲେ। କାରଣ ସେତେବେଳେ ସେ ନିଜେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।
ସ୍ତ୍ରୀ ଇନ୍ଦ୍ରାଣୀଙ୍କ ମୃତ୍ୟୁରେ ହାର୍ ମାନି ନ ଥିଲେ ତାପସ। ସେ ସ୍ତ୍ରୀଙ୍କ ସ୍ମୃତିରେ ଏକ ସିଲିକନ ମୂର୍ତ୍ତି ନିର୍ମାଣ କରିଥିଲେ। ଏବେ ଏହି ମୂର୍ତ୍ତି ଦେଖି ସେ ଜୀବନ ବିତାଉଛନ୍ତି। ତେବେ ଏପରି ମୂର୍ତ୍ତି ନିର୍ମାଣ ପଛରେ ଏକ ରୋଚକ କାହାଣୀ ରହିଛି। ବହୁ ବର୍ଷ ପୂର୍ବେ ଶାଣ୍ଡିଲ୍ୟ ଦମ୍ପତି ମାୟାପୁରର ଇସ୍କନ ମନ୍ଦିରକୁ ଯାଇଥିଲେ। ସେଠାରେ ସେମାନେ ଶ୍ରୀ ପ୍ରଭୁପାଦଙ୍କ ଏକ ଜୀବନ୍ତ ମୂର୍ତ୍ତିର ଦର୍ଶନ କରିଥିଲେ। ସେହି ସମୟରେ ଇନ୍ଦ୍ରାଣୀ କହିଥିଲେ, ଆମ ମଧ୍ୟରୁ ଯିଏ ପ୍ରଥମେ ଏହି ଦୁନିଆ ଛାଡିବ, ତାର ଠିକ ସେହିପରି ଏକ ମୂର୍ତ୍ତି ତିଆରି କରିବ। ଆଜି ଯେତେବେଳେ ତାପସଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡିଦେଲେ, ତାଙ୍କୁ ଇନ୍ଦ୍ରାଣୀଙ୍କ କଥାକୁ ବାସ୍ତବତାରେ ପରିଣତ କରିବାକୁ ପଡିଲା।
ତାପସ ପ୍ରାୟ ଅଢେଇ ଲକ୍ଷ ଖର୍ଚ୍ଚ କରି ଇନ୍ଦ୍ରାଣୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ତିଆରି କରିଥିଲେ ଏବଂ ଏହାକୁ ତିଆରି କରିବାକୁ ପ୍ରାୟ ୩ ମାସ ସମୟ ଲାଗିଥିଲା।