ହାତ ତିଆରି ଗ୍ରୀଟିଂସ୍‌ କାର୍ଡର ଆଦର

ଭୁବନେଶ୍ୱର,୨୯।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ନୂଆବର୍ଷ ଆସିଲେ ଗ୍ରୀଟିଂସ୍‌ କାର୍ଡ କଥା ମନେପଡ଼େ। ଦିନ ଥିଲା, ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଜଣାଇବାର ଏହା ଥିଲା ମୁଖ୍ୟ ମାଧ୍ୟମ। ବଜାରରେ ବିଭିନ୍ନ ପ୍ରକାରର ଗ୍ରୀଟିଂସ୍‌ କାର୍ଡ ମିଳୁଥିଲା। ସମ୍ପ୍ରତି ଡିଜିଟାଲ ଯୁଗରେ ଲୋକେ ଗ୍ରୀଟିଂସ୍‌ କାର୍ଡଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ସେଇ ସ୍ଥାନ ନେଇଛି ମୋବାଇଲ ଫୋନ୍‌। ତେବେ ଅନେକ ଲୋକ ନିଜେ ତିଆରି କରିଥିବା ଗ୍ରୀଟିଂସ୍‌ କାର୍ଡ ଦେଇ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ପାଇଁ ଗ୍ରୀଟିଂସ୍‌ କାର୍ଡଟିଏ କିଣିଆଣି ଦେବାବେଳେ ତାଙ୍କ ଓଠରେ ଯେଉଁ ହସ ଟିକକ ଫୁଟିଉଠେ, ସେଥିରେ ବନ୍ଧୁତା ତଥା ସମ୍ପର୍କର ଡୋର ଅଧିକ ମଜଭୁତ ହୋଇଯାଏ।

କାର୍ଡ ତିଆରି କରି ସାଙ୍ଗଙ୍କୁ ଦିଏ
ଆଜିକାଲି ବଜାରରେ ଗ୍ରୀଟିଂସ୍‌ କାର୍ଡ ପ୍ରାୟତଃ ମିଳୁନାହିଁ। ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଗ୍ରୀଟିଂସ କାର୍ଡ ପଠାଇବାର ଏକ ଅଲଗା ମଜା ଥିଲା। ଗ୍ରୀଟିଂସ୍‌ କାର୍ଡ କିଣିବାକୁ ବାପାଙ୍କ ପକେଟରୁ ପଇସା ମଧ୍ୟ ଚୋରି କରିଛି। ସେଥିରେ କେତେ ଢଗ ଲେଖା ହେଉଥିଲା। କାହାକୁ ଚିଡ଼ାଇବାକୁ ତ ଆଉ କାହା ପାଇଁ ସ୍ନେହ ଭରା କଥା ଲେଖି କାର୍ଡ ଦେଉଥିଲୁ। ହେଲେ ଏବେ ଗ୍ରୀଟିଂସର ଜାଗା ନେଇଯାଇଛି ମୋବାଇଲ। ତାହା ପୁଣି ମେସେଜରେ ହିଁ ସୀମିତ ରହିଯାଉଛି। ଫୋନ ବି ଆଉ ଆସୁନାହିଁ। ତେବେ କୋଭିଡ ପରେ କ୍ରାଫ୍ଟର ବ୍ୟବହାର ବଢ଼ିଛି। ମୁଁ ନିଜେ କାର୍ଡ ତିଆରି କରି ମୋ ସାଙ୍ଗମାନଙ୍କୁ ଦିଏ। ମୋ’ ଭାଇ ପାଇଁ ପ୍ରସ୍ତୁତ କରିଥାଏ।

– ପାୟଲ ଭଞ୍ଜ, ଛାତ୍ରୀ

ହାତ ତିଆରି କାର୍ଡ ଏକ ସୁନ୍ଦର ଅନୁଭୂତି
ମୋ’ ସ୍କୁଲର ପିଲାମାନେ ଆଜି ମୋର ଛୋଟବେଳର ସ୍ମୃତି ସବୁ ତାଜା ରଖିଛନ୍ତି। ନୂଆବର୍ଷରେ ଆମେ ସାଙ୍ଗସାଥୀ, ଉପର ଶ୍ରେଣୀର ପିଲା, ଏପରିକି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଗ୍ରିଟିଂସ୍‌ କାର୍ଡ ଦେଉଥିଲୁ। ସେବେ ବଜାରରେ କମ୍‌ ଦରରେ ଅନେକ ସ୍ଥାନରେ ନୂଆବର୍ଷ ଗ୍ରିଟିଂସ୍‌ ଉପଲବ୍ଧ ହେଉଥିଲା। ଏବେ ଆଗଭଳି ଗ୍ରିଟିଂସ ଦୋକାନ ନାହିଁ। ବ୍ୟବସାୟୀମାନେ ଏ ବର୍ଷ ପାଇଁ କିଣିଥିବା ଗ୍ରିଟିଂସ ବିକ୍ରି ନ ହେଲେ ପରବର୍ଷ ମଧ୍ୟ ବିକୁଛନ୍ତି। ତେବେ ଗ୍ରିଟିଂସର ସ୍ମୃତି ତାଜା ରଖିଛନ୍ତି ମୋ’ ଛାତ୍ରୀଛାତ୍ର। ନୂଆବର୍ଷ ଉପଲକ୍ଷେ ସେମାନେ କାର୍ଡ ବନାଇ ଆଣି ଦେଇଛନ୍ତି, ଯାହାକୁ ଦେଖି ମୋ ପିଲାବେଳର କଥା ମନେ ପଡ଼ିଗଲା। ମୋବାଇଲ ଯୁଗରେ ଏଭଳି ହାତ ତିଆରି କାର୍ଡ ନିଶ୍ଚୟ ସୁନ୍ଦର ଅନୁଭୂତି।

-ମାମାଲି ପାତ୍ର, ଶିକ୍ଷୟିତ୍ରୀ

Share