Categories: ଜାତୀୟ

ଜେଲ୍‌ରୁ ମୁକୁଳିଲେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ: ଶୁଭିଲା ‘ଜୋ ବୋଲେ ସୋ ନିହାଲ’ ସ୍ଲୋଗାନ୍‌

ଚଣ୍ଡିଗଡ଼,୨୪।୨: ଖଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ତୁଫାନ ଓ ସଂଗଠନର ଅନ୍ୟ ଲୋକମାନେ ‘ଜୋ ବୋଲେ ସୋ ନିହାଲ’ର ସ୍ଲୋଗାନ୍‌ ଦେଇଥିଲେ। ଏହାପୂର୍ବରୁ କୋର୍ଟ ଅପହରଣ ମାମଲାରେ ଖଲିସ୍ତାନୀ ସମର୍ଥକ ଲଭପ୍ରୀତଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ଲଭପ୍ରୀତ ନିଜ ସହଯୋଗୀମାନଙ୍କ ସହ ଶ୍ରୀ ହରମନ୍ଦିର ସାହିବ ଦର୍ଶନ କରିବାକୁ ଯାଇଛନ୍ତି। ଏହି ସମୟରେ ଲଭପ୍ରୀତ କହିଛନ୍ତି ପୋଲିସ ହେପାଜତରେ ତାଙ୍କ ସହ କୌଣସି ଦୁର୍ବ୍ୟବହାର ହୋଇନାହିଁ। ସୂଚନାଯୋଗ୍ୟ, ଗୁରୁବାର ପଞ୍ଜାବ ଅଜନାଲା ପୋଲିସ ଷ୍ଟେସନର ବାହାରେ ଖଲିସ୍ତାନ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ। ଲଭପ୍ରୀତଙ୍କୁ ତୁରନ୍ତ ଛାଡ଼ିବା ପାଇଁ ସମର୍ଥକମାନେ ଦାବି କରି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଜେଲ୍‌ରୁ ମୁକ୍ତ କରିଛି।

Share