Advertisement

ବିଷ ପିଇ ଆତ୍ମହତ୍ୟାକଲେ ପ୍ରେମୀଯୁଗଳ

ରାୟଗଡ଼ା,୨୬।୩(ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତି ଧରାପଡ଼ିବା ପରେ ଲୋକଲଜ୍ଜା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ପ୍ରେମୀଯୁଗଳ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ରୟତ କଲୋନି ସପ୍ତମ ଲାଇନ୍‌ରେ। ମୃତକ ହେଲେ କେ.ରମେଶ (୪୨) ଓ ଜଣେ ୨୪ ବର୍ଷୀୟ ଯୁବତୀ। ଏ ନେଇ ରାୟଗଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ରୟତ କଲୋନିର ସପ୍ତମ ଲାଇନରେ କେ.ରମେଶ ନାମକ ଜଣେ ବିବାହିତ ବ୍ୟକ୍ତି ରହୁଥିଲେ। ପଡ଼ୋଶୀଭାବେ ରହୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ବାରଣ କରିଥିଲେ। ଲୋକଲଜ୍ଜାକୁ ଭୟକରି ପ୍ରେମୀଯୁଗଳ ମଙ୍ଗଳବାର ସକାଳେ ଭଡ଼ାଘରେ ବିଷ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ କେ.ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ସନ୍ଧ୍ୟାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share