ବିଷ ପିଇଦେଲେ ପ୍ରେମୀଯୁଗଳ

ବ୍ରହ୍ମପୁର ଅଫିସ,୨୫ା୫: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଞ୍ଚଳର ଏକ ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମଧ୍ୟାହ୍ନରେ ପ୍ରେମିକ କୋଣ୍ଡା ଦିଲି ରାଓ(୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରେ ପ୍ରେମିକା କେ. ପଦ୍ମାବତୀ (୩୫)ଙ୍କ ମୃତ୍ୟୁ ଘଟିଥିଲା। ବଡ଼ ମେଡିକାଲ ଫାଣ୍ଡି ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପ୍ରକାଶ ଯେ, ପଦ୍ମାବତୀ ଓ ତାଙ୍କ ଗ୍ରାମର କୋଣ୍ଡା ଦିଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ପଦ୍ମାବତୀଙ୍କ ପରିବାର ଲୋକେ ଏହାକୁ ଗ୍ରହଣ ନ କରି ଗ୍ରାମର କେ. ଲିଙ୍ଗରାଜଙ୍କ ସହ ତାଙ୍କର ବିବାହ କରିଦେଇଥିଲେ। ଅନ୍ୟପଟେ କୋଣ୍ଡା ଦିଲି ମଧ୍ୟ ଅନ୍ୟତ୍ର ବିବାହ କରିଥିଲେ। ବିବାହ ପରେ ବି ସେମାନଙ୍କ ମଧ୍ୟରେ ପୂର୍ବଭଳି ପ୍ରେମ ସମ୍ପର୍କ ରହିଥିଲା। ଲିଙ୍ଗରାଜ ଏହା ଜାଣିବା ପରେ ସ୍ତ୍ରୀଙ୍କୁ ତାଗିଦ୍‌ କରି ଆସୁଥିଲେ। ଲିଙ୍ଗରାଜ ଅନ୍ୟତ୍ର କାମ କରୁଥିବା ବେଳେ ସପ୍ତାହକୁ ଥରେ ଗାଁକୁ ଆସୁୁଥିଲେ। ଗତ ମଙ୍ଗଳବାର ସ୍ବାମୀଙ୍କ ସହ ପଦ୍ମାବତୀ କୌଣସି କାମରେ ସୋମପେଟ୍ଟା ଯାଇ ଅପରାହ୍ନରେ ଘରକୁ ଫେରିଥିଲେ। ରାସ୍ତାରେ ପଦ୍ମାବତୀ ଏକ ନୂଆ ମୋବାଇଲ ଧରିଥିବା ଦେଖି ଲିଙ୍ଗରାଜଙ୍କ ସନ୍ଦେହ ହୋଇଥିଲା। କୋଣ୍ଡା ଦିଲି ଉକ୍ତ ମୋବାଇଲ ଫୋନ ଦେଇଥିବା ଜାଣିବା ପରେ ଲିଙ୍ଗରାଜ ତାହାକୁ ପଦ୍ମାବତୀଙ୍କ ହାତରୁ ଛଡ଼ାଇ ନେଇଥିଲେ। ଏଥିରେ ପଦ୍ମାବତୀ ସ୍ବାମୀଙ୍କ ସହ ଆଉ ଘରକୁ ନ ଯାଇ ସେଠାରୁ କେଉଁଆଡେ ଚାଲିଯାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ପଦ୍ମାବତୀ ଓ କୋଣ୍ଡା ଦିଲି ଗାଁ ମୁଣ୍ଡରେ ଅଚେତ ହୋଇ ପଡ଼ିଥିଲେ। ଉଭୟଙ୍କ ପରିବାର ଏହା ଜାଣିବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋମପେଟ୍ଟା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ବୁଧବାର ପୂର୍ବାହ୍ନରେ ପ୍ରଥମେ କୋଣ୍ଡା ଦିଲିଙ୍କୁ ଓ ଅପରାହ୍ନରେ ପଦ୍ମାବତୀଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପୋଲିସ ପୃଥକ ଦୁଇ ଅପମୃତ୍ୟୁ ମାମଲା (୨୮୪ ଓ ୨୮୫/୨୩) ରୁଜୁ କରିଛି।

Share