ପ୍ରେମୀଯୁଗଳଙ୍କ ବିବାହ କଲା ପୋଲିସ

ଅମରପାଲି,୨୧ା୭(ପୀତାମ୍ବର ସାହୁ): ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ। ଅତି ନିରାଡମ୍ବର ଭାବରେ ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ପରିସରରେ ପ୍ରେମୀଯୁଗଳ ପରସ୍ପରକୁ ଫୁଲମାଳ ଦେଇ ବିବାହ କରିଛନ୍ତି । ଥାନା ଅଧିକାରୀ, ପୋଲିସ ଓ ବରକନ୍ୟାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି । ବିବାହ କରିଥିବା ପ୍ରେମୀଯୁଗଳ ସମ୍ପର୍କରେ ଦିଅର ଭାଉଜ ବୋଲି ଜଣାପଡିଛି। ପ୍ରକାଶ ଯେ, ଅନୁଗୁଳ ଜିଲା ସାମସିଙ୍ଗା ଗ୍ରାମର ଝିଲି ପ୍ରଧାନ(୨୨) ତିନି ବର୍ଷ ତଳେ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଖଣ୍ଡହତା ପଞ୍ଚାୟତ ଅଧୀନ ବରଘାଟ ଗ୍ରାମର ପରେମେଶ୍ବର ପ୍ରଧାନ (୨୩)ତାଙ୍କ ମାଉସୀ ପୁଅ ଭାଇ ମାଧବଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲିଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଶେଷରେ ଉଭୟ ଦିଅର ଭାଉଜ ଗତ ସପ୍ତାହେ ପୂର୍ବରୁ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ସୁବଲୟା ଥାନାରେ ଏନେଇ ଅଭିଯୋଗ କରିଥିଲେ। ସ୍ବାମୀ ମାଧବଙ୍କ ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଗତ ଗୁରୁବାର ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେମାନେ ପୋଲିସ ନିକଟରେ ପରସ୍ପରକୁ ବିବାହ କରିବେ ବୋଲି କହିଥିଲେ। ପରେ ଥାନା ପରିସରରେ ଝିଅର ବାପଘର ଓ ଶଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ବରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା। ଏହି ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ,ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ଉପସ୍ଥିତ ଥିଲେ। ଉକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।