ଭାରତରେ କରୋନା ଟିକାର କମ୍‌ ପାର୍ଶ୍ୱ ପ୍ରତିକ୍ରିୟା: ଅସୁସ୍ଥଙ୍କ ସଂଖ୍ୟା ୬୦୦ ଛୁଇଁଲା

ନୂଆଦିଲ୍ଲୀ, ୨୧।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜାନୁୟାରୀ ୧୬ଠାରୁ ଇତିମଧ୍ୟରେ ୬୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିମଧ୍ୟରୁ ୧୦ ଜଣଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ୭ ଜଣଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ତେବେ ପୃଥିବୀର ଅନ୍ୟ ଦେଶ ତୁଳନାରେ ଟିକା ନେବା ପରେ ଅସୁସ୍ଥ ହୋଇପଡୁଥିବା ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି। ଦିଲ୍ଲୀରେ ୪ ଜଣ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଶାହଦରାସ୍ଥିତ ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ନାଟକରେ ୨ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଚିତ୍ରାଦୁର୍ଗ ଜିଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ରାଜସ୍ଥାନରେ ଟିକା ନେବା ପରେ ଜଣେ ଲେଖାଏଁ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉତ୍ତରାଖଣ୍ଡ, ଛତିଶଗଡ଼ ଏବଂ ରାଜସ୍ଥାନର ଅସୁସ୍ଥ ବ୍ୟକ୍ତି ଘରକୁ ଫେରି ଯାଇଛନ୍ତି। ପଶ୍ଚିମବଙ୍ଗର ଅସୁସ୍ଥ ବ୍ୟକ୍ତି ମୁର୍ସିଦାବାଦ୍‌ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଟିକା ନେବା ପରେ ବର୍ତ୍ତମାନ ସୁଦ୍ଧା ୪ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ତେବେ ୩ ମୃତକଙ୍କର ଟିକା ନେବା ଯୋଗୁ ମୃତ୍ୟୁ ଘଟି ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share