ଲଘୁଚାପ: ୮ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୫ା୯(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୮ ତାରିଖ ଯାଏ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୧୧ ସେଣ୍ଟିମିଟର) ହୋଇପାରେ। ଏ ନେଇ ଏହି ଜିଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏ ନେଇ ଏଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଘୂର୍ଣ୍ଣିବଳୟ ଯୋଗୁ ଗତ ୨ ଦିନ ଧରି କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୪୦.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଅନୁଗୋଳ ୩୦, ତାଳଚେର ୧୨, ହୀରାକୁଦ ୧୮, ଫୁଲବାଣୀ ୧୯.୪, ଟିଟିଲାଗଡ ୨୬, ସୋନପୁର ୩୧.୮, ଦାରିଙ୍ଗିବାଡି ୩୯, ନୟାଗଡ ୨୫, ପାରଳାଖେମୁଣ୍ଡି ୩୩, ଢେଙ୍କାନାଳ ୨୬, ବରଗଡରେ ୨୪.୨ ମିଲିମିଟର ବର୍ଷା ହୋଇଛି।

Share