ଆଜି ଲଘୁଚାପ, ବାତ୍ୟା ସମ୍ଭାବନା

ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା): ବଙ୍ଗୋପସାଗରର ଉତ୍ତର ପଶ୍ଚିମ ତଥା ଉତ୍ତର ଓ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତନରୁ ୩.୧ରୁ ୪.୫ କିମି ଉପରେ ସକ୍ରିୟ ରହିଛି। ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଉଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଥାଇଲ୍ୟାଣ୍ଡ ଯାଏ ୫.୮ କିମି ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଏହାର ପ୍ରଭାବରେ ସୋମବାର ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୯ ତାରିଖ ସୁଦ୍ଧା ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଉପକୂଳରେ ଅବପାତ ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଅବପାତ ବାତ୍ୟାରେ ପରିଣତ ହେଲେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଗତିକରିବା ସମ୍ଭାବନା ରହିଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କିମି ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଦକ୍ଷିଶ ଉପକୂଳବର୍ତ୍ତୀ ଜିଲାରେ ମଙ୍ଗଳବାର ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏନେଇ ଚାଷୀଙ୍କୁ ଫସଲ ଅମଳ ଉପରେ ବିଶେଷ ଧ୍ୟାନ ଦେବା ଲାଗି ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲାରେ ରାତ୍ରି ତାପମାତ୍ରା ତଳମୁହାଁ ହୋଇଥିବାବେଳେ ୩ ସ୍ଥାନରେ ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। ସମତଳ ଅଞ୍ଚଳ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ ହୋଇଥଳବାବେଳେ ପାହାଡ଼ ଅଞ୍ଚଳ କୋରାପୁଟ ଓ କିରେଇରେ ପାରଦ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଫଳରେ ରାଜ୍ୟରେ ଶୀତ ବଢ଼ିଥିବାବେଳେ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଜିଲାରେ ଏହାର ପ୍ରକୋପ ଆହୁରି ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share