ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ ଆସୁଛି ଶୁଣି ଚାଷୀ ମନରେ ଏକ ପ୍ରକାର ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଦୈବ ଦୁର୍ବିପାକ ପରିସ୍ଥିତିରେ ଚାଷୀକୁଳ କେମିତି ବଞ୍ଚିବ ଭାବି ଆଖିରୁ ନିଦ ହଜିବାକୁ ବସିଛି । ସୂଚନାଯୋଗ୍ୟ, ଗତ ସପ୍ତାହର ଶେଷ ସପ୍ତାହରେ ଦୁଇଦିନ ଧରି କୋହଲା ପାଗସାଙ୍ଗକୁ ଲଗାଣ ବର୍ଷା ହେବା ଫଳରେ ଅମଳ ହେବାକୁ ଥିବା ଧାନ କ୍ଷେତରେ ବର୍ଷା ଜଳ ଲହଡି ମାରିଥିଲା। ପରେ ଗତକାଲି ଶୁଖିଲା ପାଗକୁ ଦେଖି ବର୍ଷକ ଦାନା ଯୋଗାଡ଼ ଉଦ୍ଦେଶ୍ୟରେ କ୍ଷେତକୁ ପାଣିରୁ ଛାଣି ହିଡ଼ ସମେତ କେତେକ ଉଚ୍ଚ ସ୍ଥାନରେ ରଖିବା ନିମନ୍ତେ ପାଣି କାଦୁଅରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ସେଗୁଡିକ ଶୁଖିଲା ପରେ ଖଳା ବାଡି଼କୁ ଆଣିବାକୁ ମନସ୍ଥ କରିଥିଲା। ହେଲେ ଆଜି ଦିନ ତମାମ ମେଘୁଆ ପାଗ ରହିଥିବା ସହ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ସହ ବିଭିନ୍ନ ଖବରକାଗଜ ମାଧ୍ୟମରେ ୨୪ ତାରିଖରୁ ବର୍ଷା ହୋଇ ସହ ୨୭ରୁ ପୁଣି ଏକ ଏକ ଲଘୁଚାପ ନାଁ ଶୁଣି ଚାଷୀ ଏବେ ଏକ ପ୍ରକାର ଛାନିଆ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଭଳି ପାଗ ଆଗକୁ ଲାଗି ରହିଲେ ଏ ବର୍ଷ ଖାଇବାକୁ ଗଣ୍ଡେ ମିଳିବ ନାହିଁବୋଲି ନିରାକାରପୁର,ଡିଆ ଓ ଲେଣ୍ଡୋ ପଞ୍ଚାୟତ ଅଞ୍ଚଳର ଅନେକ ଚାଷୀ ଅଭିଯୋଗ ହୋଇଛି।