ଲଘୁଚାପ ସୃଷ୍ଟି: ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୬ା୮(ଅନୁରାଧା ମହାରଣା):ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଉତ୍ତର ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଦେଇ ଗତି କରିବ। ସେହିପରି ମନସୁନ୍‌ ଟ୍ରପ୍‌ ଲାଇନ୍‌ ବଙ୍ଗୋସାଗରର ଦକ୍ଷିଣ-ପୂର୍ବରୁ ଉତ୍ତର-ପୂର୍ବ ଦିଗରେ ବ୍ୟାପିଛି। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାରୁ ସମ୍ଭାବନା ରହିଥିବାରୁ ଉକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ଅନ୍ୟପଟେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲାରେ ୭ରୁ ୧୧ ସେମି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ମଧ୍ୟ ୪ ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ପ୍ରବଳ ବର୍ଷା ନେଇ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।

Share