ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆସୁଛି ବଡ଼ ବାତ୍ୟା

ଭୁବନେଶ୍ୱର,୨୧।୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହେବ।
ଆଜି  ଲଘୁଚାପ କ୍ଷେତ୍ରରେ ଘୂର୍ଣ୍ଣିବଳୟ ପରିଣତ ହୋଇଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ଅବପାତ ଏବଂ ବାତ୍ୟାର ରୂପ ନେବ । ୨୩ରେ ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ।
ତେବେ ବାତ୍ୟାର ନାଁ ରଖାଯାଇଛି ‘ଦାନା’ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ସକାଳେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’ । ସେହିଦିନ ସକାଳେ ଏହା ଓ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଅନ୍ୟପକ୍ଷେ ଆଇଏମ୍‌ଡି ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗରୁତ୍ୱପୂର୍ଣ୍ଣ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏ ରହିପାରେ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଡିଜି ମହାପାତ୍ର ଏହା ପ୍ରଭାବରେ ପବନ  ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି। । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।
ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୩ ତାରିଖରୁ ପବନ ଓ ବର୍ଷା ଆରମ୍ଭ ହେବ। ଝଡ଼ ନେଇ ୧୦ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି । ୨୪ ତାରିଖରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ  ୱାର୍ନିଂ ଜାରି ହୋଇଛି । ସେହିଭଳି ୫ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ନିଂ  ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ । କେତେକ ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଏବଂ ଆଉ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ ।
Share