୨୪ ଘଣ୍ଟାରେ ଲଘୁଚାପ

ଭୁବନେଶ୍ୱର,୧୩ା୧୧(ଅନିଲଦାସ): ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ।
୧୫ ତାରିଖରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ (ଅବପାତ)ରେ ପରିଣତ ହେବ।
ଲଘୁଚାପ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ କରିବା ବେଳେ ଏହା ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ଲଘୁଚାପ ଓଡ଼ିଶା ଉପକୂଳ ଦେଇ ଗଲାବେଳେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହ ସହ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ରାତ୍ରିରୁ ବର୍ଷା ଆରମ୍ଭ ହେବ। ୧୬ ରୁ ୧୮ ତାରିଖରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ୭୦ ରୁ ୧୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ନଭେମ୍ବର ୨୦ ତାରିଖ ଯାଏ ଉପକୂଳ ଜିଲାରେ ହାଲକା ବର୍ଷା ଲାଗି ରହିବ।
ସମ୍ଭାବ୍ୟ ଲଘୁଚାପ ଯୋଗୁ ରାଜ୍ୟରେ ପାରଦ ପୁଣି ଉପରୁମହାଁ ହେବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋରାପୁଟରେ ସର୍ବନିମ୍ନ ୧୨.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ୧୫ ରୁ ୨୨ ଡିଗ୍ରୀ ମଧ୍ୟରେ ରହିଛି।

Share