ଲଘୁଚାପ: ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନିଲ ଦାସ): ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗ ଦେଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ(୭ରୁ ୨୦ସେ.ମି.) ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ ଖୋର୍ଦ୍ଧା ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଅକ୍ଟୋବର ୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ ବଲାଙ୍ଗୀର, ୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ଅଳ୍ପ ବହୁତ ମୌସୁମୀ ବର୍ଷା ଲାଗିରହିବ। ଏହା ପରେ ମୌସୁମୀ ଲେଉଟାଣି ପର୍ବ ଆରମ୍ଭ ହେବ। ଅକ୍ଟୋବର ୧୩ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବ। ଜୁଲାଇରେ ୬.୬ ପ୍ରତିଶତ ଏବଂ ଅଗଷ୍ଟରେ ୧୫.୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ସେପ୍ଟେମ୍ବର ବର୍ଷା ନିଅଣ୍ଟିଆକୁ ଭରଣା କରିଛି। ସେପ୍ଟେମ୍ବରରେ ସ୍ବାଭାବିକଠାରୁ ୬୧.୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୨୯ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଏହି ସମୟରେ ସ୍ବାଭାବିକ ଭାବେ ୧୧୪୪.୩ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୧୦୫.୪ ମିଲିମିଟର । ତେବେ କେନ୍ଦ୍ରାପଡ଼ାରେ ସ୍ବାଭାବିକଠାରୁ ୨୬, ନବରଙ୍ଗପୁରରେ ୨୩ ଏବଂ ପୁରୀରେ ୨୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ରାଜ୍ୟର କୌଣସି ଜିଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇନାହିଁ। ୯୫ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ ହୋଇଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୁକ୍ରବାର ବିଧାନସଭାରେ କହିଛନ୍ତି।

Share