ଭୁବନେଶ୍ୱର,୪।୧୦(ବ୍ୟୁରୋ):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ସୋମବାର କେତେକ ଜିଲାରେ ବର୍ଷା ଲାଗି ରହିଛି। ଚାନ୍ଦବାଲିରେ ସର୍ବାଧିକ ୩୬.୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ମାଲକାନଗିରିରେ ୨୩, ପାରାଦୀପ ୧୪.୪, ବାରିପଦା ୫, ଦାରିଙ୍ଗବାଡ଼ି ୪, ବାଲେଶ୍ବରରେ ୨.୮ ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ା ସମେତ ଅନ୍ୟ କେତେକ ଜିଲାରେ ଦିନ ତମାମ ବର୍ଷା ହୋଇଥିବା ସୂଚନା ମିଳିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେଣୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏ ସବୁ ଜିଲାକୁ ୟେଲୋ ୱାର୍ନିଂ ଦେବା ସହ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ନୟାଗଡ଼ ଜିଲାକୁ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।