ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ମଳିଥିବା ସୂଚନା ମୁତାବକ, ବିପଦ ସଂକୁଳ ଅବସ୍ଥାରେ ରହୁଥିବା ଉକ୍ତ ବ୍ଲକ ଅଧୀନ ପଟାକୁଣ୍ଡିଆ ଏବଂ ରୁକୁଣୀ ଗ୍ରାମର ୨୭ ଏବଂ ୨୧ଜଣ ଲୋକଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ମୋଟ ୭୧ଜଣ ଲୋକଙ୍କୁ ବିଭିନ୍ନ ଅଙ୍ଗନବାଡି ଏବଂ ବିଦ୍ୟାଳୟରେ ରଖାଯାଇଛି l

ଏପରିକି ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି l ଲଘୁଚାପ ଲଗାଣ ବର୍ଷାରେ ପଟାକୁଣ୍ଡିଆ ଗ୍ରାମର କାହ୍ନ ଟୁଡୁ ଏବଂ ଦୁବରାଜ ଟୁଡୁଙ୍କ ଘର କାନ୍ଥ ଭୁଶୁଡି ପଡିଛି। କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ ପ୍ରଦାନ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ କାହ୍ନ ଏବଂ ଦୁବରାଜଙ୍କ ପରିବାରକୁ ଅଙ୍ଗନବାଡି କେନ୍ଦ୍ରରେ ରଖାଯାଇଛି ବୋଲି ପିଇଓ ଶ୍ୱେତପଦ୍ମା ପରିଡା କହିଛନ୍ତି।

ସେହିପରି ବ୍ଲକର ନୂଆଗାଁ ପଞ୍ଚାୟତର ସନ୍ୟାସୀ ଗ୍ରାମର ହୀରା ମୁର୍ମୁ, ଭାଲିଆଡିହା ପଞ୍ଚାୟତ ଝିଲିରୀବଣି ଗ୍ରାମର ମଇନା ମୁର୍ମୁ, ବ୍ରାହ୍ମଣମରା ଗ୍ରାମର ସନ୍ୟାସୀ କାଳନ୍ଦୀ, ନୂଆଗାଁ ଗ୍ରାମର ସବିତା ମହାନ୍ତ, ଛୋଟରାୟପୁର ଗ୍ରାମର କରୁଣାକର କାଳନ୍ଦୀ,ଦୁର୍ଗାପୁର ଗ୍ରାମର ମକର ସିଂଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ବୋଲି ପିଇଓ ପ୍ରସନ୍ନ ମହାନ୍ତ ପ୍ରକାଶ କରିଛନ୍ତି।