ଗଞ୍ଜାମ,୨୦ା୧୨(ବିଦ୍ୟାଧର ସାହୁ): ଦୁଇଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳ ଚାଷୀ। ପ୍ରାୟ ଜମିରେ ଧାନ ସବୁ ପାଚି ଯାଇଥିବା ବେଳେ ତାହା ଏବେ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। କିଛି ଚାଷୀ ଧାନ କାଟି ବିଲରେ ରଖିଛନ୍ତି। ଆଉ କିଛି ଚାଷୀ ବିଲରେ ଧାନ ଗଦା କରି ପାଲ ଘୋଡ଼େଇ ରଖିଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଚାଷୀ କ୍ଷତି ସହିବା ନିଶ୍ଚିତ। ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହ ନିଜର ପରିଶ୍ରମ ବୃଥା ଓ ମୂଲ୍ୟହୀନ ହୋଇଯିବ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।
ପ୍ରକାଶ ଯେ, ଗଞ୍ଜାମ ବ୍ଲକ୍ରେ ମୋଟ୍ ୧୨ ହଜାର ୪୬୨ ହେକ୍ଟର ଚାଷଜମି ଥିବା ବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନଚାଷ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।