ଅବପାତରେ ପରିଣତ ହେଲା ଲଘୁଚାପ; ୪ ଜିଲାକୁ ରେଡ୍ ଓ୍ବାର୍ନିଂ

ଭୁବନେଶ୍ୱର,୧୯।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିମି ଦୂରରେ ଏବଂ ଗୋପାଳପୁରରୁ ପୂର୍ବରେ ୧୩୦ କିମି ଦୂରରେ ଏବେ ଅବପାତ ରହିଛି।

ଆସନ୍ତା କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ। ତେବେ ଆଜି ଅର୍ଥାତ ଶୁକ୍ରବାର କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଓ୍ବାର୍ନିଂ ଦିଆଯାଇଛି।

ସେହିଭଳି ୭ ଜିଲାକୁ ଅରେଞ୍ଜ ଓ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର। ଏହାସହିତ ଶନିବାର ପାଇଁ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ଲଘୁଚାପକୁ ଦୃଷ୍ଟିରେ ରଖି ଅପରପକ୍ଷେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ତତ୍‌ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ସମୁଦ୍ର ମଧ୍ୟଭାଗକୁ ଯିବା ପାଇଁ ବାରଣ କରାଯାଇଛି। ଯେକୌଣସି ପରିସ୍ଥିତି ଆସିଲେ ତାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Share