ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଛି

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ କାଉନ୍‌ସିଲର ଯାଞ୍ଚ କରି ଖବରଦାତାଙ୍କୁ ଡାକି ଦେଖାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ପ୍ରାୟ ୬୭୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଠିକ୍‌ ସମୟରେ ଦିଆଯାଉ ନ ଥିବା ଅଭିଯୋଗ ହେଇ ଆସିଥିଲା। ଏନେଇ ଛାତ୍ରୀଛାତ୍ର ଭୟରେ ମୁହଁ ଖୋଲୁ ନ ଥିଲେ। ଅନୁରୂପ ସୋମବାର ଦିନ ୧ଟା ସମୟ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇ ନ ଥିଲା। ଏ ନେଇ ସ୍ଥାନୀୟ ୧୧ନଂ. ୱାର୍ଡ କାଉନ୍‌ସିଲର ବରୁଣ ଆପଟ୍ଟ ଖବର ପାଇ ବିଦ୍ୟାଳୟ ଯାଇ ସତ୍ୟାସତ୍ୟ ଜାଣିବାକୁ ଯାଞ୍ଚ କରିଥିଲେ। ପରେ ଖବରଦାତାଙ୍କୁ ଡାକି ଦେଖାଇଥିଲେ। ଏ ସମ୍ପର୍କରେ ଶିକ୍ଷୟିତ୍ରୀ ଶକୁନ୍ତଳା କେଶି କହିଛନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ନ ଥିବାରୁ ସେ ଦାୟିତ୍ୱରେ ଅଛନ୍ତି। ବିଦ୍ୟାଳୟରେ କାଠ ଅଛି କି ନାହିଁ ଏ ବାବଦରେ ତାଙ୍କୁ କିଛି କୁହାଯାଇ ନ ଥିଲା। କାଠ ନ ଥିବାରୁ ରୋଷେଇ ହୋଇ ନ ଥିଲା ବୋଲି କହିଥିଲେ। କାଉନ୍‌ସିଲର ଆପଟ୍ଟ କହିଛନ୍ତି, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଠିକ୍‌ ସମୟରେ ଖାଇବାକୁ ଦିଆ ଯାଉନାହିଁ। ଖାଦ୍ୟ ନିମ୍ନମାନର ଦିଆଯାଉଛି। ଛାତ୍ରୀଛାତ୍ରମାନେ ଏ ନେଇ ପ୍ରତିବାଦ କଲେ ଧମକ ଚମକ ଦିଆଯାଉଥିବା କହିଥିଲେ। ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି, ଅବିଳମ୍ବେ ସେ ଏହି ଘଟଣାର ତଦନ୍ତ କରିବେ। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।