ରାଇଘର, ୧୯।୧୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ବୀରପୁରରୁ ବୈପାରିଡିହି ଦେଇ ଜୋଡିଙ୍ଗାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦାରଖ କରାଯାଇ ନୂତନ ରାସ୍ତା ନିର୍ମାଣ ନିମନ୍ତେ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏବେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ ଉକ୍ତ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଓ ଅଧିକାରୀମାନେ ଏହାର ତଦାରଖ କରୁ ନ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ସହ କାମ ପାଖରେ ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ।
ରାସ୍ତା ପାଖରେ ଗଭୀର ଗର୍ତ୍ତ କରାଯାଇ ମୋରମ ବାହାର କରି ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଛି। ଅଧିକାରୀ ଏହାର ତଦାରଖ କରିବା ସହ ରାଜସ୍ବ ଆଦାୟ କରିଛନ୍ତି ନା ନାହିଁ ଜଣାପଡ଼ି ନାହିଁ। ଏଥି ସହ ରାସ୍ତାକଡରେ ଯେଉଁ ଭଳି ଗର୍ତ୍ତ ସୃଷ୍ଟି ହୋଇଛି ସେଥିରେ ଦୁର୍ଘଟଣା ଆଶଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଥିବା କଞ୍ଚାମାଲ, ସ୍ଲାଇଡର ଚିପ୍ସ, ମେଟାଲ ନିମ୍ନମାନର ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଛତିଶଗଡ଼ରୁ ସବୁ ସାମଗ୍ରୀ ଆଣି କାମରେ ଲଗାଯାଉଛି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନାରାୟଣ ବେହେରାଙ୍କୁ ପଚାରିବାରୁ ନିମ୍ନମାନର ସାମଗ୍ରୀ ଆସିଥିଲା। କିନ୍ତୁ କାମରେ ଲଗାଯିବନି ବୋଲି ମନା କରିବାରୁ ତାହାକୁ ଫେରାଇ ଭଲ ସାମଗ୍ରୀ ଆଣି ଠିକାଦାର କାମ କରୁଛନ୍ତି ବୋଲି କହିଛନ୍ତି। ଏବେ ମଧ୍ୟ ସେହି ଖରାପ ସାମଗ୍ରୀ ସବୁ ଗଦାହୋଇ ପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳ ରାସ୍ତାଗୁଡିକର ଉନ୍ନତୀକରଣ ଚାଲିଛି ତାହା ଠିକାଦାର ଓ ଅଧିକାରୀମାନଙ୍କ ପାଇଁ ପୂରା ହୋଇପାରୁନାହିଁ। ଅଧିକାରୀଙ୍କ ତଦାରଖ ଅଭାବରୁ ଅଳ୍ପ ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଜିଲାସ୍ତରୀୟ ଟିମ୍ ଏହାର ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି।