୩୧ରୁ କମିବ ଶୀତ: ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ):ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ସମ୍ଭାବ୍ୟ ବାତ୍ୟା ଅପସରି ଯିବା ପରେ ଗତ କିଛିଦିନ ହେବ ହାଲୁକା ଶୀତ ଆରମ୍ଭ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲ୍‌ସିୟସକୁ ଖସି ଆସିଛି। ଆଉ ୩ ଦିନ ପାରଦ ଆହୁରି ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୩୧ ଓ ନଭେମ୍ବର ୧ତାରିଖରେ ପାରଦ ପୁଣି ଉପରମୁହାଁ ହେବ। ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ଫଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା କୁହୁଡ଼ି ହେବାର ସମ୍ଭାବନା ରହିଛି। ତେବେ ନଭେମ୍ବର ୪ ତାରିଖରୁ ପୁଣି ପାରଦ ୩ରୁ ୪ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ବିଶେଷକରି ବଣ ପାହାଡ଼ଘେରା ଜିଲାଗୁଡ଼ିକରେ ଅଧିକ ଶୀତ ଅନୁଭୂତ ହେବ। ପାରଦ ୧୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଆସିବ। ଆସନ୍ତା ସପ୍ତାହେ ଯାଏ ପାଗ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୧୭, ସୋନପୁର ୧୭, ଭବାନୀପାଟଣା ୧୭.୬, ହୀରାକୁଦ ୧୭.୪, କେନ୍ଦୁଝର ୧୭.୮, ଝାରସୁଗୁଡ଼ା ୧୮.୨, ଦେବଗଡ଼ ୧୮ ଓ ନୟାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share