Categories: ବାଣିଜ୍ୟ

ମୁଦ୍ରାସ୍ଫୀତି ହ୍ରାସ ଅର୍ଥନୀତି ଅଭିବୃଦ୍ଧି ଆଣିବ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଗତ କିଛି ମାସ ହେବ ଦେଶର ଖୁଚୁରା ମୁଦ୍ରାସ୍ଫୀତ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଗତ ୧୫ ମାସରେ ମୁଦ୍ରାସ୍ଫୀତ ହାର ସବୋର୍ଚ୍ଚ ସ୍ତରରେ ରହିଛି। ସେହିଭଳି ମୁଦ୍ରାସ୍ଫୀତ ଓ ଖାଦ୍ୟଶସ୍ୟ ଦରଦାମ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଆଣିବ ବୋଲି ଶୁକ୍ରବାର ନୂଆଦିଲ୍ଲୀଠାରେ ସିଆଇଆଇ ପକ୍ଷରୁ ଆୟୋଜିତ ବି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏଭଳି କିଛି କହିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଆକଳନ ଭଲ ହୋଇପାରେ ବୋଲି ନିର୍ମଳା ଆକଳନ କରିଥିବା ବେଳେ ଗତ ୯ ବର୍ଷରେ ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଆର୍ଥିକ ସୁଧାର ବିଷୟରେ ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ବିଶେଷକରି ଗତ ୯ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଅର୍ଥନୈତିକ ସୁଧାର ହୋଇଛି। ଏପରିକି ବଜେଟରେ କ୍ୟାପିଟାଲ ଏକ୍ସପେଣ୍ଡିଚର ଅଧିକ ଖର୍ଚ୍ଚ ପ୍ରାବଧାନରୁ ବର୍ତ୍ତମାନର ସକାରାତ୍ମକ ସଙ୍କେତ ଅନୁଭବ କରାଯାଇପାରେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ଦେଖିଲେ ଭାରତର ଅର୍ଥବ୍ୟବସ୍ଥା ଭଲ ରହିଛି। ବର୍ତ୍ତମାନ ଦେଶ ପାଇଁ ସପ୍ଲାଏ ଚେନ୍‌ର ବିସ୍ତାର କରିବାର ଆବଶ୍ୟକ ରହିଛି। କୌଣସି ପ୍ରକାର ବିପର୍ଯ୍ୟୟ ସହ ମୁକାବିଲା କରିବାକୁ ଆମକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ। ବିଶେଷକରି ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । କିନ୍ତୁ ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ଧରି ଅଧିକ ସୁଧ ହାର ରହିବା ଦ୍ୱାରା ଦେଶର ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପଡ଼ିଥାଏ। ବିଶେଷ କରି ବଜାର ଦର ଓ ଦରବୃଦ୍ଧି କମ୍‌ କରିବାକୁ ହେଲେ ସୁଧହାରକୁ ଏକମାତ୍ର ଅସ୍ତ୍ର ଭାବେ ବ୍ୟବହାର କରିବାକୁ ପଡିଥାଏ। ଫଳରେ ବଜାର ଉପରେ ନିୟନ୍ତ୍ରଣ କରିବା ସହ ଆର୍ଥିକ ବିକାଶକୁ ପ୍ରାଥମକିତା ଉପରେ ଧ୍ୟାନଦେବା ଜରୁରୀ ବୋଲି ସୀତାରାମନ କହିଛନ୍ତି।

Share