୨୦୬ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ,୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୯ ହଜାର ୭୪୦ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୪୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୨୩ ହଜାର ୭୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୯୮ ପ୍ରତିଶତ ରହିଛି।

ଅପରପକ୍ଷରେ ୨୦୬ ଦିନ ପରେ ଦେଶରେ ସକ୍ରିୟ ମାମଲା ସର୍ବନିମ୍ନ ରହିଛି। ଏବେ ଏହା ୨ ଲକ୍ଷ ୩୬ ହଜାର ୬୪୩ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୯୩ କୋଟି ୯୯ ଲକ୍ଷ ୧୫ ହଜାର ୩୨୩ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୯ ଲକ୍ଷ ୧୨ ହଜାର ୨୦୨ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୭ କୋଟି ୮୬ ଲକ୍ଷ ୫୭ ହଜାର ୮୪୮ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୩୧ ହଜାର ୮୧୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୨ ଲକ୍ଷ ୪୮ହଜାର ୮୭୧ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୮ ଲକ୍ଷ ୯୪ ହଜାର ୩୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୪୪ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୨୦ ଛୁଇଁଛି।

Share