୫୭୫ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୨ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୬ ହଜାର ୩୧୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୬ ହଜାର ୯୦୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୪୦ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୭୮ ହଜାର ୧୯୦ ରହିଛି। ୫୭୫ ଦିନ ପରେ ଏହା ସର୍ବନିମ୍ନରେ ପହଞ୍ଚିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୭୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୨ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ୩୨୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୮ କୋଟି ୯୫ ଲକ୍ଷ ୯୦ ହଜାର ୬୭୦ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୫୭ ଲକ୍ଷ ୫ ହଜାର ୩୯ ଜଣଙ୍କୁ ଟିକାଦାନ କରାଯାଇଛି। ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୧ ହଜାର ୯୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share