Categories: ଜାତୀୟ

ମାର୍ଚ୍ଚ ୮ ପରେ ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ ଡିଜେଲ ଦାମ ବଢ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ତେବେ ଭାରତ ସରକାର ଘରୋଇ ଏଲ୍‌ପିଜି ଅବା ପେଟ୍ରୋଲ ଡିଜେଲ ଦାମ ୫ ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୃଦ୍ଧି କରିପାରୁ ନ ଥିଲେ।

ତୈଳ କମ୍ପାନୀ ଗୁଡ଼ିକ ଚାପରେ ଥିଲେ ମଧ୍ୟ ନିର୍ବାଚନରେ ଭୋଟରଙ୍କ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା କରି ଭାରତ ସରକାର କୌଣସି ପଦକ୍ଷେପ ନେଇ ପାରୁ ନ ଥିଲେ। ତେବେ ମାର୍ଚ୍ଚ ୭ରେ ଶେଷ ପର୍ଯ୍ୟାୟ ମତଦାନ ପରେ ସରକାର ମାର୍ଚ୍ଚ ୮ ପରେ ଏସମ୍ପର୍କରେ ନିଶ୍ଚୟ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଛି।

ଯେ କୌଣସି ସମୟରେ ଘରୋଇ ଗ୍ୟାସ୍‌ ଦାମ ସିଲିଣ୍ଡର ପିଛା ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ୨୦୨୧ ଅକ୍ଟୋବର ୬ ପରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତେବେ ୨୦୨୧ ଅକ୍ଟୋବର ୬ଠାରୁ ଇତି ମଧ୍ୟରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୧୭୦ ଟଙ୍କା ବୃଦ୍ଧି ଘଟିଛି।

ସେହିପରି ଏବେ ପେଟ୍ରୋଲ ଏବଂ ଡିଜେଲ ଦାମରେ ଲିଟର ପିଛା ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ବଜାର ବିଶେଷଜ୍ଞଙ୍କ ପକ୍ଷରୁ ଅନୁମାନ କରାଯାଇଛି।

 

Share