ସିଲିଣ୍ଡର ପିଛା ୧ ଟଙ୍କା ବଢ଼ିଲା ଏଲ୍‌ପିଜି

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହି ସମୟରେ ଲଗାତର ଦରଦାମ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦର ବଢିବା ପରେ ୨ ଦିନ ହେବ ଏଥିରେ ବିରତି ଲାଗିଛି। ହେଲେ ବୁଧବାର ଏଲ୍‌ପିଜି ଓ ବିମାନ ଇନ୍ଧନ ବୃଦ୍ଧି ହୋଇଥିବା ଜଣାପଡିଛି। ବୁଧବାର ଅଣସବ୍‌ସିଡି ଗ୍ୟାସ୍‌ ଦର ମଧ୍ୟ ୧ଟଙ୍କା ବୃଦ୍ଧି ପାଇଛି। ଗୋଟିଏ ମାସ ମଧ୍ୟରେ ଅଣସବସିଡି ଗ୍ୟାସ ଦର ୨ୟ ଥର ବଢିଛି। ଏହି ସମୟରେ ଭୁବନେଶ୍ୱରରେ ଗ୍ୟାସ୍‌ ଦର ୨.୫୦ ଟଙ୍କା ବଢିଥିବା ଜଣାପଡିଛି। ଲୋକମାନେ ପୂର୍ବରୁ ଏଥି ଲାଗି ୬୧୯ ଟଙ୍କା ଦେଉଥିବା ବେଳେ ଏହା ବର୍ତ୍ତମାନ ୬୨୧.୫୦ ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟ ସରକାରଗୁଡିକ ଦ୍ୱାରା ଲାଗୁ କରାଯାଉଥିବା ସେଲ୍‌ସ ଟ୍ୟାକ୍ସ ଓ ଭାଟ୍‌ କାରଣରୁ ବିଭିନ୍ନ ସ୍ଥାନରେ ଦରରେ ଭିନ୍ନତା ରହୁଥିବା ଜଣାପଡିଛି। ଦେଶର ପ୍ରମୁଖ ୪ ମେଟ୍ରୋ ସହର କଥା ବିଚାରକୁ ନେଲେ ଦିଲ୍ଲୀରେ ଗ୍ୟାସ ଦର ୫୯୩ ଟଙ୍କାରୁ ବୃଦ୍ଧି ପାଇ ୫୯୪ଟଙ୍କାରେ ପହଞ୍ଚତ୍ଛି। ସେହିଭଳି କୋଲକାତାରେ ୬୧୬ ଟଙ୍କାରୁ ୬୨୦.୫୦ଟଙ୍କା, ମୁମ୍ବାଇରେ ୫୯୦.୫୦ଟଙ୍କାରୁ ୫୯୪ଟଙ୍କା ଏବଂ ଚେନ୍ନାଇରେ ୬୦୬.୫୦ଟଙ୍କାରୁ ବଢି ୬୧୦.୫୦ଟଙ୍କାକୁ ଛୁଇଁଛି। ସେହିଭଳି ବିମାନ ଇନ୍ଧନ ଦରରେ ପ୍ରାୟ ୭.୫% ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ, ୧ଜୁଲାଇରେ ବିମାନ ଇନ୍ଧନ ଦର କିଲୋଲିଟର ପିଛା ପ୍ରାୟ ୨୯୨୨.୯୪ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ବର୍ତ୍ତମାନ କିଲୋଲିଟର ପିଛା ଦର ୪୧,୯୯୨.୮୧ଟଙ୍କା ରହିଛି। ଗତ ୧ ମାସ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ବିମାନ ଇନ୍ଧନ ଦର ବଢିଛି। ଏହା ପୂର୍ବରୁ ବିମାନ ଇନ୍ଧନ ଦର ଜୁନ ପହିଲାରେ ପ୍ରଥମ ଥର ୫୬.୬%(୧୨,୧୨୬.୭୫ଟଙ୍କା), ଜୁନ ୧୬ରେ ୧୬.୩% (୫,୪୯୪.୫ ଟଙ୍କା) କିଲୋଲିଟର ପିଛା ବୃଦ୍ଧି ପାଇଛି।

Share