
ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍ରେ ପରାସ୍ତ କରିଛି। ୧୬୭ ରନର ଟାର୍ଗେଟକୁ ପିଛା କରି ସିଏସକେ ୧୯.୩ ଓଭରରେ ବିଜୟୀ ହୋଇଥିଲା। ଏହି ସିଜନରେ ଏହା CSKର ଦ୍ୱିତୀୟ ବିଜୟ। ୧୧ ବଲ୍ରେ ୨୬ ରନ କରିଥିବା ଏମଏସ ଧୋନୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
ଏହି ଇନିଂସରେ ଧୋନୀ ୧ ଛକା ଏବଂ ୪ ଚୌକା ମାରିଥିଲେ। ଧୋନୀ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିବା ସବୁଠାରୁ ବୟସ୍କ IPL ଖେଳାଳି ହୋଇଯାଇଛନ୍ତି, ସେ ଶେଷ ଥର ପାଇଁ ୨୦୧୯ରେ ଏହି ପୁରସ୍କାର ଜିତିଥିଲେ। ଧୋନୀ ଏହି ପୁରସ୍କାର ଜିତିବ ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହାର ପ୍ରକୃତ ମାଲିକ କିଏ।
ଧୋନୀ କହିଛନ୍ତି, ଖେଳ ଜିତିବା ଭଲ, ଦୁର୍ଭାଗ୍ୟବଶତଃ ଶେଷ କିଛି ମ୍ୟାଚ ଆମ ସପକ୍ଷରେ ନ ଥିଲା। ଜିତିବା ଦଳକୁ ବହୁତ ଆତ୍ମବିଶ୍ୱାସ ଦିଏ। ଏକ ବିଜୟୀ ଦଳର ଅଂଶ ହେବା ଖୁସିର କଥା ଏବଂ ଆଶା କରୁଛି ଏହା ଜାରି ରହିବ। ପୂର୍ବ ଖେଳଗୁଡ଼ିକରେ ବୋଲିଂ କରିବା ସମୟରେ, ଆମେ ପ୍ରଥମ ଛଅ ଓଭରରେ ସଂଘର୍ଷ କରୁଥିଲୁ କିନ୍ତୁ ପରେ ମଧ୍ୟ ଓଭରଗୁଡ଼ିକରେ ପ୍ରତ୍ୟାବର୍ତ୍ତନ କରୁଥିଲୁ। ଆମେ ବ୍ୟାଟିଂ ୟୁନିଟ ଭାବରେ ମଧ୍ୟ ଭଲ ଆରମ୍ଭ ପାଇ ନ ଥିଲୁ, ହୁଏତ ଏହା ଚେନ୍ନାଇ ଉଇକେଟ ଯୋଗୁ ହୋଇଥିଲା। ହୁଏତ ଆମେ ଭଲ ଉଇକେଟ୍ରେ ଭଲ ପ୍ରଦର୍ଶନ କରିବୁ, ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଆତ୍ମବିଶ୍ୱାସ ଦେବୁ।
ଏମ ଏସ ଧୋନୀ ଏହି ପୁରସ୍କାର ଗ୍ରହଣ କରି କହିଥିଳେ, ଆଜି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି ଯେ ମୁଁ ଏହି ପୁରସ୍କାର ପାଉଛି। ନୁର ଅହମ୍ମଦ ଆଜି ପ୍ରକୃତରେ ଚମତ୍କାର ବୋଲିଂ କରିଥିଲେ। ସେ ହିଁ ଏହି ପୁରସ୍କାରର ପ୍ରକୃତ ହକଦାର।
ନୁର ଅହମ୍ମଦ କୌଣସି ଉଇକେଟ ନେଇ ନ ଥିଲେ କିନ୍ତୁ ସେ ଲକ୍ଷ୍ନୌ ସୁପରଜାଏଣ୍ଟସର ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ରଖିଥିଲେ, ସେ ତାଙ୍କର ୪ ଓଭର ସ୍ପେଲରେ କେବଳ ୧୩ ରନ ଦେଇଥିଲେ।